ମଣିପୁରକୁ ହରାଇ ସ୍ବର୍ଣ୍ଣ ଜିତିଲା ଓଡ଼ିଶା

କଟକ : ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶା ମହିଳା ଫୁଟବଲ ଦଳ ସ୍ବର୍ଣ୍ଣ ପଦକ ଜିତିଛି। ରବିବାର ଖେଳା ଯାଇଥିବା ଫାଇନାଲରେ ଓଡ଼ିଶା ଟାଇବ୍ରେକର ୧-୧(୪-୨)ରେ ଶକ୍ତିଶାଳୀ ମଣିପୁରକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ନିର୍ଦ୍ଧାରିତ ସମୟ ଖେଳ ୧-୧ ଗୋଲ ବରାବର ରହିଥିଲା। ଓଡ଼ିଶା ପକ୍ଷରୁ ପ୍ୟାରୀ ଖାଖା ୫୧ ମିନିଟ୍‌ରେ ଓ ମଣିପୁର ପକ୍ଷରୁ ୭୯ ମିନିଟ୍‌ରେ ଶିବାନୀ ଦେବୀ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ।
ନିର୍ଦ୍ଧାରିତ ସମୟ ଖେଳ ୧-୧ ଗୋଲ ବରାବର ରହିଥିବାରୁ ପେନାଲ୍ଟି ଟାଇବ୍ରେକରର ଆଶ୍ରୟ ନିଆଯାଇଥିଲା। ଏଥିରେ ଓଡ଼ିଶା ୪-୨ ଗୋଲରେ ବିଜୟୀ ହୋଇଥିଲା। ୨୦୧୧ ପରେ ଓଡ଼ିଶା ୧୨ ବର୍ଷ ପରେ ଜାତୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଏହି ସଫଳତା ଲାଗି ଓଡ଼ିଶା ମହିଳା ଫୁଟବଲ ଦଳକୁ ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ଶୁଭେଚ୍ଛା ଜଣାଇବା ସହ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି। ସ୍ବର୍ଣ୍ଣ ବିଜେତା ପ୍ରତ୍ୟେକ ଖେଳାଳି ଓ ସହଯୋଗୀ ସଦସ୍ୟଙ୍କୁ ୨,୫୦,୦୦୦ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ସେମିଫାଇନାଲରେ ପ୍ରବେଶ କରିବା ପରେ ଫାଓ ପକ୍ଷରୁ ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ମାର୍ଗଦର୍ଶକ ନିଯୁକ୍ତ କରାଯାଇଥିଲା। ଶ୍ରଦ୍ଧାଞ୍ଜଳି ସେମିଫାଇନାଲ ମ୍ୟାଚ ପୂର୍ବରୁ ଓଡ଼ିଶା ଦଳ ସହ ଯୋଗ ଦେବା ସହିତ ଖେଳାଳିଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶ୍ରଦ୍ଧାଞ୍ଜଳିଙ୍କ ପ୍ରଶିକ୍ଷଣ ଓଡ଼ିଶା ଦଳ ପାଇଁ ଉପଯୋଗୀ ହୋଇଛି।

Leave A Reply

Your email address will not be published.