ଭାରତର ସ୍ବାଧୀନତା ସଂଗ୍ରାମ ପାଇଁ ବିପ୍ଳବୀ ଶହୀଦ୍ ବିର୍ସା ମୁଣ୍ଡାଙ୍କ ଅବଦାନ ଅତୁଳନୀୟ। ଊନବିଂଶ ଶତାବ୍ଦୀର ଶେଷଭାଗରେ ଭାରତର ପୂର୍ବାଞ୍ଚଳର ଘଞ୍ଚ ଜଙ୍ଗଲ ମଧ୍ୟରେ ଯେଉଁ ବିପ୍ଳବର ସ୍ୱର ଝଙ୍କୃତ ହୋଇଥିଲା, ‘ଆବୁଆ ରାଜ ଏଟେଏ ଯାନା, ମହାରାଣୀ ରାଜ ତୁଣ୍ଡୁ ଯାନା’ (ଏହାର ଅର୍ଥ- ମହାରାଣୀଙ୍କ ସାମ୍ରାଜ୍ୟ ପତନ ହେଉ ଏବଂ ଆମ ସାମ୍ରାଜ୍ୟର ପ୍ରତିଷ୍ଠା ହେଉ), ତାହାହିଁ ଥିଲା ଇଂରେଜମାନଙ୍କ ବିରୁଦ୍ଧରେ ପ୍ରତିବାଦର ପ୍ରତିଫଳନ। ଏହି ଅନ୍ଦୋଳନର ମୁଖ୍ୟ ସୂତ୍ରଧର ଥିଲେ ବିର୍ସା ମୁଣ୍ଡା। ୧୮୭୫ ମସିହା ଆଜିର ଦିନରେ ବିର୍ସା ମୁଣ୍ଡା ଅଧୁନା ଝାଡ଼ଖଣ୍ଡ ରାଜ୍ୟର ଖୁଣ୍ଟି ଜିଲ୍ଲା ପୋଡ଼ାହାଟ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ସୁଗନା ମୁଣ୍ଡା ଓ ମାତାଙ୍କ ନାମ ଥିଲା କରମୀ ମୁଣ୍ଡା। ବିର୍ସା ମୁଣ୍ଡାଙ୍କର ବାଲ୍ୟଶିକ୍ଷା ସାଲଗାଠାରେ ଆରମ୍ଭ ହୋଇଥିଲା।
ଚାଇଁବସା ମିଶନ୍ ସ୍କୁଲରେ ପଢୁଥିଲାବେଳେ ଗୋରା ପ୍ରଧାନଶିକ୍ଷକ ଆକ୍ରୋଶମୂଳକ ଭାବେ ବିର୍ସାଙ୍କୁ ଚାବୁକରେ ମାଡ଼ ମାରିଥିଲେ ଓ ସ୍କୁଲରୁ ବହିଷ୍କାର କରି ଦେଇଥିଲେ। ସେବେଠାରୁ ପାଠପଢ଼ା ଛାଡ଼ି ବ୍ରିଟିଶ୍ ଶାସନରୁ ଓଡ଼ିଶାକୁ ମୁକ୍ତ କରିବାକୁ ସେ ଲାଗିପଡ଼ିଥିଲେ। ଏଥିପାଇଁ ସ୍ଥାନୀୟ ଆଦିବାସୀଙ୍କୁ ସେ ଏକାଠି କରିଥିଲେ। ଏହି କାରଣରୁ ତାଙ୍କୁ ଦେଶଦ୍ରୋହ ଅପରାଧରେ ଦୁଇବର୍ଷ କାରାଦଣ୍ଡ ଦିଆଗଲା। ମହାରାଣୀ ଭିକ୍ଟୋରିଆଙ୍କ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଅନେକ କଏଦୀଙ୍କୁ ମୁକ୍ତ କରି ଦିଆଯାଇଥିଲା। ଏମିତିରେ ବିର୍ସା ଓ ତାଙ୍କର ସହକର୍ମୀମାନେ ମଧ୍ୟ ମୁକ୍ତି ପାଇ ଯାଇଥିଲେ। ତାଙ୍କ ଆହ୍ୱାନରେ ଶହ ଶହ ଯୁବକ ନିଜ ମାତୃଭୂମିକୁ ବିଦେଶୀ ଶାସନ କବଳରୁ ମୁକ୍ତ କରିବାପାଇଁ ଶପଥ ନେଲେ। ସେମାନେ ୧୮୯୯ ମସିହା ଡିସେମ୍ବର ୯ ତାରିଖ ଦିନ ନିଆଁହୁଳା, ଧନୁତୀର ଓ ବର୍ଚ୍ଛା ଧରି ଗୋରାମାନଙ୍କର ବାସଭବନ ଓ ଅଫିସ୍ରେ ନିଆଁ ଲଗାଇଦେଲେ।