ଭୁବନେଶ୍ୱର : ସାମାଜିକ ନିରାପତ୍ତା ଯୋଜନାରେ ହିତାଧିକାରୀଙ୍କୁ ଭତ୍ତା, ରାଜ୍ୟ ସରକାରଙ୍କର ବିଭିନ୍ନ ସରକାରୀ ସହାୟତା, ମହିଳା-ଯୁବ-କୃଷକଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ବ୍ୟାଙ୍କ ଋଣ ପ୍ରତ୍ୟେକ କ୍ଷେତ୍ରରେ ବ୍ୟାଙ୍କ ଜମାଖାତା ଅପରିହାର୍ଯ୍ୟ। ମାତ୍ର କେନ୍ଦ୍ର ସରକାରଙ୍କ କ୍ରମାଗତ ଅବହେଳା ଯୋଗୁଁ ଓଡ଼ିଶାର ହଜାର ହଜାର ଗାଁ ଏବେ ବି ବ୍ୟାଙ୍କ ସେବାରୁ ବଞ୍ଚିତ। ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସିଂହଭାଗ ଲୋକ ଏବେ ବି ବ୍ୟାଙ୍କ ସେବା ପାଇପାରୁ ନାହାନ୍ତି। ଏହାକୁ ଦୂର କରିବାକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ପଦକ୍ଷେପ। ଚଳିତ ଆର୍ଥିକ ବର୍ଷରୁ ବ୍ୟାଙ୍କ ସେବାରୁ ବଞ୍ଚିତ ପଞ୍ଚାୟତରେ ଖୋଲିବ ‘ଆମ ବ୍ୟାଙ୍କ’।
ରାଜ୍ୟ ସରକାରଙ୍କ ଅର୍ଥ ଓ ପଞ୍ଚାୟତିରାଜ ବିଭାଗ ଏଥିପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି। ଚଳିତ ବର୍ଷ ଅଗଷ୍ଟ ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଶାର ୪୩୭୩ଟି ବ୍ୟାଙ୍କ ବିହୀନ ଗ୍ରାମ ପଞ୍ଚାୟତରେ ‘ସିଏସ୍ପି ପ୍ଲସ୍’ ବ୍ୟାଙ୍କିଙ୍ଗ୍ ଆଉଟ୍ଲେଟ୍ ଖୋଲିବା ନେଇ ମିଳିଥିବା ମଞ୍ଜୁରୀ ଆଧାରରେ ଗତିଶୀଳ ହୋଇଛି ‘ଆମ ବ୍ୟାଙ୍କ’ ଖୋଲାଯିବା କାର୍ଯ୍ୟକ୍ରମ। ଏଥିପାଇଁ ସରକାର ୫ ବର୍ଷ ପର୍ଯ୍ୟନ୍ତ ବିନା ମୂଲ୍ୟରେ ବ୍ୟାଙ୍କ ଗୁଡିକୁ ଗୃହ ଯୋଗାଇ ଦେବେ। ଏଥିସହ ଓଡ଼ିଶା ସରକାର ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଏବଂ ୩ ବର୍ଷ ପାଇଁ ଆବର୍ତ୍ତୀ ଖର୍ଚ୍ଚ ବହନ କରିବେ। ଏହା ଦ୍ୱାରା ଗ୍ରାମାଞ୍ଚଳର ଲୋକେ ବିଶେଷକରି ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାମାନେ ନିଜ ଘର ପାଖରେ ବ୍ୟାଙ୍କ ସେବା ପାଇବାକୁ ସକ୍ଷମ ହେବେ।
ମିଳିଥିବା ସୂଚନା ଅନୁସାରେ ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତରେ ସିଏସ୍ପି ପ୍ଲସ୍ ଆଉଟ୍ଲେଟ୍ ମାଧ୍ୟମରେ ରାଜ୍ୟ ସରକାର ବ୍ୟାଙ୍କ ସେବା ଯୋଗାଇ ଦେବେ। ଅର୍ଥ ବିଭାଗ ଏବଂ ପଞ୍ଚାୟତିରାଜ ବିଭାଗ ନିଜ ମଧ୍ୟରେ ସମନ୍ୱୟ ରଖି ମିଳିତ ଭାବରେ ଏଥିପାଇଁ କାର୍ଯ୍ୟ କରିବେ। ଏ ନେଇ ଉଭୟ ବିଭାଗ ମଧ୍ୟରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ୨୦୨୪ ଶେଷ ସୁଦ୍ଧା ରାଜ୍ୟର ସବୁ ପଞ୍ଚାୟତରେ ବ୍ୟାଙ୍କ ସେବା ପହଞ୍ଚାଇବା ଲାଗି ସରକାର ଲକ୍ଷ୍ୟ ରଖିଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୫୦% ପଞ୍ଚାୟତରେ ବ୍ୟାଙ୍କ ଖୋଲିବ ବୋଲି ସୂଚନା ମିଳିଛି। ଏଥିନିମନ୍ତେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା ଏବଂ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଦି ୬ଟି ବ୍ୟାଙ୍କର କର୍ତ୍ତୃପକ୍ଷଙ୍କୁ ପ୍ରସ୍ତୁତି ଆରମ୍ଭ ପାଇଁ କୁହାଯାଇଛି। ଅର୍ଥ ବିଭାଗ ବ୍ୟାଙ୍କ ଖୋଲିବା ନିମନ୍ତେ ସହାୟତା ଯୋଗାଇ ଦେବ ଏବଂ ପଞ୍ଚାୟତିରାଜ ବିଭାଗ ଜିଲ୍ଲା ପ୍ରଶାସନ ସହାୟତାରେ ବ୍ୟାଙ୍କ ଲାଗି ଭିତ୍ତିଭୂମି ପ୍ରସ୍ତୁତ କରିବ।
ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓଡ଼ିଶା ସରକାରଙ୍କର ଏକ ମୁଖ୍ୟ କାର୍ଯ୍ୟକ୍ରମ ହୋଇଥିଲା ବେଳେ ଅଧିକାଂଶ ଅଞ୍ଚଳରେ ବ୍ୟାଙ୍କ ନ ଥିବାରୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହାସଲରେ ବାଧା ସୃଷ୍ଟି ହୋଇଛି। ବ୍ୟାଙ୍କ ଗୁଡିକ ଦ୍ୱାରା ବ୍ୟାଙ୍କବିହୀନ ପଞ୍ଚାୟତରେ ସ୍ଥାୟୀ ଶାଖା ସ୍ଥାପନ କାର୍ଯ୍ୟ ଅତ୍ୟନ୍ତ ମନ୍ଥର ରହିଛି। ଓଡ଼ିଶାରେ ପ୍ରାୟ ୬୫% ପଞ୍ଚାୟତରେ ବ୍ୟାଙ୍କ ସେବା ଏବେ ବି ଅପହଞ୍ଚ ହୋଇ ରହିଛି। ୬୭୯୮ ଗ୍ରାମ ପଞ୍ଚାୟତ ମଧ୍ୟରୁ ବ୍ୟାଙ୍କ ସେବା ନଥିବା ୪୩୭୩ ପଞ୍ଚାୟତରେ ବ୍ୟାଙ୍କ ନାହିଁ।