ଭୁଟାନ ଜମି କବ୍‌ଜା ପାଇଁ ଚୀନ୍‌ର ଷଡ଼ଯନ୍ତ୍ର, ଉପଗ୍ରହ ଚିତ୍ରରୁ ଖୋଲିଲା ଗୁମର

ଲଣ୍ଡନ: ପଡ଼ୋଶୀ ଦେଶ ଉପରେ ଚୀନ୍‌ ଲୋଲୁପ ଦୃଷ୍ଟି ପକାଇବା ଜାରି ରଖିଛି। ଏହି ବିସ୍ତାରବାଦୀ ରାଷ୍ଟ୍ର ଅନ୍ୟର ଜମି ହାତେଇବା ପାଇଁ କୁଟୀଳ ଚକ୍ରାନ୍ତ କରୁଛି। ଭାରତ ସହ ଡୋକଲାମ ବିବାଦର ୫ ବର୍ଷ ପରେ ଏହି ଦେଶ ଭୁଟାନର ଉତ୍ତରାଞ୍ଚଳ ଉପରେ ନଜର ପକାଇଛି। ଏହି ଅଞ୍ଚଳ ନିକଟରେ ଚୀନ୍‌ ଭିତ୍ତିଭୂମି କାର୍ଯ୍ୟକୁ ଜୋରଦାର କରିଛି। ଉପଗ୍ରହ ଚିତ୍ରରୁ ଏହି ସୂଚନା ମିଳିଛି। ଆଗାମୀ ଦିନରେ ଜାକରଲୁଙ୍ଗ ଘାଟୀ ଚୀନ୍‌ ହାତକୁ ଯାଇପାରେ। ବ୍ରିଟେନର ଏକ ଥିଙ୍କ ଟ୍ୟାଙ୍କ ଚୈଥମ ହାଉସ (ରୟାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଟରନ୍ୟାସନାଲ ଆଫେୟର୍ସ) ଏହି ତଥ୍ୟ ଦେଇଛି। ରିପୋର୍ଟ ଅନୁଯାୟୀ ଭୁଟାନ ବଡ଼ ଅନୁକମ୍ପା ଦେଖାଇ ଜକାରଲୁଙ୍ଗ ଏବଂ ପଡୋଶୀ ମେନଚୁମା ଘାଟୀକୁ ଚୀନ୍‌କୁ ଦେଇପାରେ। ଭୁଟାନର ବେୟୁଲ ଘାଟୀରେ ଚୀନ୍‌ ସଡ଼କର ଜାଲ ବିଛାଇ ଦେଇଛି। ଅନେକ ସେନା ପୋଷ୍ଟ ନିର୍ମାଣ କରିଛି। ଏହି ଅଞ୍ଚଳର ଅଧିକାଂଶ ଲୋକ ବୌଦ୍ଧ ଧର୍ମାବଲମ୍ବୀ। ଏମାନେ ତିବତିୟ ବୌଦ୍ଧ ଧର୍ମକୁ ପାଳନ କରନ୍ତି। ଏହା ପୂର୍ବରୁ ମଧ୍ୟ ଚୀନ୍‌ ଭୁଟାନ ଅଞ୍ଚଳରେ ରାସ୍ତା ନିର୍ମାଣ କରିବା ପାଇଁ ପ୍ରୟାସ କରିଥିଲା। ପୂର୍ବରୁ ପଶ୍ଚିମ ଭୁଟାନରେ ଭିତ୍ତିଭୂମି ବିକାଶ କରୁଥିଲା।

୨୦୧୭ରେ ଚୀନ୍‌ ଦକ୍ଷିଣ-ପଶ୍ଚିମ ଡୋକଲାମରେ ରାସ୍ତା ନିର୍ମାଣ ପାଇଁ ପ୍ରୟାସ କରିଥିଲା। ଏଠାରେ ଭାରତୀୟ ସେନା ସହ ଚୀନ୍‌ର ସଂଘର୍ଷ ହୋଇଥିଲା। ରିପୋର୍ଟ ଅନୁଯାୟୀ ଚୀନ୍‌ କ୍ଷମତା ଆଗରେ ଭୁଟାନ ହାର ମାନି ଯାଇଥିବା ଜଣାପଡୁଛି। ଭୁଟାନ ମାମଲାର ବିଶେଷଜ୍ଞ ତେଜିଙ୍ଗ ଲାମସାଙ୍ଗ କହିଛନ୍ତି ଯେ ଚୀନ୍‌ ମାମଲାରେ ଭୁଟାନ ପୁରୁଣା ରଣନୀତି ଆପଣାଉଛି। ଏହି ଦେଶ ଚୁପ୍‌ ରହିବାକୁ ସଠିକ୍‌ ମଣୁଛି। ୨ଟି ବଡ଼ ଦେଶ ଭାରତ ଏବଂ ଚୀନ୍‌ ମଧ୍ୟରେ ଭୁଟାନ ଫସି ରହିଛି। ବେୟୁଲା ବ୍ୟତୀତ ଭୁଟାନର ମେନଚୁମା ଘାଟୀରେ ମଧ୍ୟ ଚୀନ୍‌ ନିର୍ମାଣକାର୍ଯ୍ୟ ଜାରି ରଖିଛି। ୨୦୨୧ରେ ଏହି ଘାଟୀକୁ ଚୀନ୍‌ କବ୍‌ଜା କରି ନେଇଥିବା ଖବର ଆସିଥିଲା। ମାତ୍ର ଭୁଟାନ ସେନା ଏହାକୁ ଖଣ୍ଡନ କରି ଦେଇଥିଲା। ବେୟୁଲ ଏବଂ ମେନଚୁମା ନିକଟରେ ଚୀନ୍‌ ସେନାର ଷ୍ଟେସନ ରହିଛି। କିଛି ଦିନ ତଳେ ଭୁଟାନର ବିଦେଶ ମନ୍ତ୍ରୀ ଟାଣ୍ଡି ଦୋର୍ଜି ବେଜିଂରେ ଚୀନ୍‌ ବିଦେଶ ମନ୍ତ୍ରୀଙ୍କୁ ଭେଟି ଥିଲେ। ଏହି ବୈଠକରେ ଉଭୟ ନେତା ସୀମା ନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ନେଇଥିଲେ।

Umasankar Adv
Leave A Reply

Your email address will not be published.