ଦିଲ୍ଲୀ ମେଟ୍ରୋ ଟ୍ରେନ‌ରେ ଫସି ମୃତ୍ୟୁ ହୋଇଥିବା ମହିଳାଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ଟ୍ରେନରେ କବାଟରେ ଶାଢ଼ି ଫସିଯିବାରୁ ଜଣେ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିଲା। ମହିଳାଙ୍କ ମୃତ୍ୟୁ ପରେ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ (ଡିଏମଆରସି) ମୃତକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ସହାୟତା ରାଶିର ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ମେଟ୍ରୋ ରେଲୱେ ନିୟମ -୨୦୧୭ ଅନୁସାରେ ମୃତକ ରିନାଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ଏହା ବ୍ୟତୀତ ମୃତକଙ୍କ ପିଲାଙ୍କୁ ମାନବୀୟ ସହାୟତା ଦୃଷ୍ଟିରୁ ୧୦ଲକ୍ଷ ଟଙ୍କାର ଅତିରିକ୍ତ ରାଶି ପ୍ରଦାନ କରାଯିବ। କାରଣ ମୃତକଙ୍କ ଦୁଇଜଣ ପିଲା ନାବାଳକ ଅଛନ୍ତି।

Umasankar Adv

ଏଥିସହିତ ଡିଏମଆରସି ମୃତକଙ୍କ ଦୁଇପିଲାଙ୍କ ପାଠପଢ଼ା ଦାୟିତ୍ବ ବି ନେବେ ବୋଲି ସୂଚନା ଦେଇଛନ୍ତି। ସମସ୍ତ ଆବଶ୍ୟକତାକୁ ଶୀଘ୍ର ପୂରା କରିବା ପାଇଁ ଡିଏମଆରସି ଦ୍ବାରା ବରିଷ୍ଠ ଅଧିକାରୀଙ୍କ ଏକ ଦଳ ଗଠନ କରାଯିବ।

କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ନିର୍ଦ୍ଦେଶ ଦେଇ କହିଛନ୍ତି କି, ପିଲାଙ୍କ ଶିକ୍ଷା ଓ ଯତ୍ନ ନେବା ଦିଲ୍ଲୀ ମେଟ୍ରୋ ପରିଚାଳକ ଏହାକୁ ସୁନିଶ୍ଚିତ କରନ୍ତୁ।

ସୂଚନାଯୋଗ୍ୟ, ଡିସେମ୍ବର ୧୪ ତାରିଖରେ ମହିଳା ଓ ତାଙ୍କ ପୁଅ ଇନ୍ଦ୍ରଲୋକରୁ ମୋହନ ନଗର ପର୍ଯ୍ୟନ୍ତ ମେଟ୍ରୋରେ ଚଢ଼ିବାକୁ ଚେଷ୍ଟା କରୁଥିଲେ। ମହିଳା ଜଣକ ଶାଢ଼ି ପିନ୍ଧିଥିବା ବେଳେ ହାତରେ ବୋତଲ ଓ ଜ୍ୟାକେଟ୍ ଥିଲା। ଏହାପରେ ମେଟ୍ରୋ କବାଟର ସେନସର କାମ କରୁ ନଥିବାରୁ ମେଟ୍ରୋ ଟ୍ରେନର କବାଟରେ ଶାଢ଼ି ଫସି ଯାଇଥିଲା ଏବଂ ସେ ଅନେକ ମିଟର ପର୍ଯ୍ୟନ୍ତ ଟାଣି ହୋଇଯାଇଥିଲେ । ପରେ ମହିଳା ଜଣକ ମେଟ୍ରୋ ଟ୍ରାକ୍ ଉପରେ ପଡ଼ିଯାଇଥିଲେ। ଏହି ସମୟରେ ମହିଳା ଜଣକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା।

Leave A Reply

Your email address will not be published.