ନୂଆବର୍ଷ ଉପଲକ୍ଷେ ଡିସେମ୍ବର ୩୧ ରାତିସାରା ଖୋଲା ରହିବ ଶ୍ରୀମନ୍ଦିର

ପୁରୀ : ନୂଆ ବର୍ଷ ପାଇଁ ପୁରୀରେ ବଢୁଛି ଭକ୍ତଙ୍କ ଭିଡ଼। ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ମାର୍କେଟ ଛକରୁ ଶ୍ରୀମନ୍ଦିର ସିଂହଦ୍ବାର ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ବାରିକେଡ୍‌ ନିର୍ମାଣ କରାଯାଉଛି। ବଡ଼ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡରୁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଛି। ଭକ୍ତଙ୍କ ପାଇଁ ତିନୋଟି ଜୋତା ଷ୍ଟାଣ୍ଡ ନିର୍ମାଣ କରାଯାଇଛି। ଏହାଛଡ଼ା ନବନିର୍ମିତ ୮୪ମିଟର ଲମ୍ବ ଏବଂ ୧୨ମିଟର ଚଉଡ଼ା ଶୀତତାପ ନିୟନ୍ତ୍ରିତ ଟନେଲ ଜାନୁଆରୀ ୧ରୁ କାର୍ଯ୍ୟକ୍ଷମ ହେବ।

ନୂଆ ବର୍ଷ ଭିଡ଼କୁ ଦୃଷ୍ଟିରେ ରଖି ୩୧ ତାରିଖ ରାତି ସାରା ଖୋଲା ରହିବ ଶ୍ରୀଜଗନ୍ନାଥ ମନ୍ଦିର। ରାତି ଉଜାଗର ରହି ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଶାଳୀନତାପୂର୍ଣ୍ଣ ପୋଷାକ, ପାନ ଗୁଟ୍‌ଖା ଏବଂ ପଲିଥିନ୍‌ କଟକଣା ନୂଆ ବର୍ଷରୁ କାର୍ଯ୍ୟକାରୀ କରାଯିବ। ଶ୍ରୀମନ୍ଦିର ଚାରିଗୋଟି ପ୍ରବେଶ ଦ୍ବାରରେ ଭକ୍ତଙ୍କୁ ଯାଞ୍ଚ କରି ଭିତରକୁ ଛାଡ଼ିବେ ସୁରକ୍ଷା କର୍ମୀ। ନୂଆ ବର୍ଷରେ ପ୍ରାୟ ଦୁଇ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଚଳାଇଛି ପ୍ରଶାସନ। ତେବେ ଶ୍ରୀମନ୍ଦିର ଭିତରେ ସୁଧୁରି ପାରୁନି ଦର୍ଶନ ବ୍ୟବସ୍ଥା। ଭିତର ଓ ବାହାର କାଠ ନିକଟରେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ନିତିଦିନିଆ ଘଟଣାରେ ପରିଣତ ହୋଇଛି।

Umasankar Adv
gpkandhamal

ଏଥିଯୋଗୁଁ ଅଧିକାଂଶ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଭଲଭାବେ ଦର୍ଶନ କରିନପାରି ମନଦୁଃଖରେ ଫେରୁଛନ୍ତି। ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ପାଇଁ ଏପର୍ଯ୍ୟନ୍ତ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇ ନାହିଁ। ମନ୍ଦିର ବାହାର ବ୍ୟାରିକେଡ୍‌ରେ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତଙ୍କ ଦୁର୍ଦଶା ବୃଦ୍ଧି ପାଉଛି। ଭକ୍ତଙ୍କୁ ପାନୀୟ ଜଳ, ଶୌଚାଳୟ, ଅସ୍ଥାୟୀ ବିଶ୍ରାମ ଗୃହ, ପ୍ରାଥମିକ ଚିକିତ୍ସା ଆଦି ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇବାରେ ପ୍ରଶାସନ ଏପର୍ଯ୍ୟନ୍ତ ସକ୍ଷମ ହୋଇପାରିନାହିଁ। ଦର୍ଶନାର୍ଥୀଙ୍କ ସମସ୍ୟା ବୁଝିବାକୁ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳକୁ ଯାଉ ନାହାନ୍ତି। ମନ୍ଦିର ବାହାରେ ଜୋରଦାର ପ୍ରସ୍ତୁତି ହେଉଥିବାବେଳେ ଭିତରେ ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ଆସିପାରୁନାହିଁ। କେବଳ ସିଂହଦ୍ବାର ଦେଇ ପୁରୀ ବାହାର ଭକ୍ତଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯାଉଥିବାରୁ ହଜାର ହଜାର ଭକ୍ତ ଘଣ୍ଟା ଘଣ୍ଟା ଧରି ବ୍ୟାରିକେଡ୍‌ ଭିତରେ ଅପେକ୍ଷା କରୁଛନ୍ତି।

ତେଣୁ ଅଧିକ ଜନଗହଳି ହେଉଥିବା ଦିନଗୁଡ଼ିକରେ ଭିତରେ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ଚାରିଦ୍ବାର ଖୋଲାଯିବାକୁ ଦୀର୍ଘଦିନ ଧରି ଦାବି ହୋଇ ଆସୁଛି। ସେହିପରି ମହାପ୍ରଭୁଙ୍କ ସମ୍ମୁଖରେ କେତେକ ସେବକ ସକାଳୁ ରାତି ପର୍ଯ୍ୟନ୍ତ ଥାଳି ଓ ଘଡୁ ଧରି ଅବରୋଧ କରି ଛିଡ଼ା ହେଉଛନ୍ତି। ଏଥିଯୋଗୁଁ ଶ୍ରୀଜୀଉଙ୍କ ଦର୍ଶନରେ ବାଧା ସୃଷ୍ଟି ହେଉଛି। ଏ କ୍ଷେତ୍ରରେ ମନ୍ଦିର ପ୍ରଶାସନର ନିରବତା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କିଛି ସେବକ ଏବଂ ଯାତ୍ରୀ ଗୁମାସ୍ତା ଭକ୍ତଙ୍କୁ ମନ୍ଦିର ଭିତରକୁ ଦର୍ଶନ ପାଇଁ ନେଉଛନ୍ତି। ଦାୟିତ୍ବରେ ଥିବା ପୁଲିସ ଏବଂ ମନ୍ଦିର ପ୍ରଶାସନ କର୍ମଚାରୀ ସେମାନଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି।

୨୫ ତାରିଖ ବଡ଼ଦିନରେ ଏଭଳି ବିଶୃଙ୍ଖଳା ଯୋଗୁଁ ବ୍ୟାରିକେଡ୍‌ ଭିତରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଶତାଧିକ ଶ୍ରଦ୍ଧାଳୁ ବାରିକେଡ୍‌ ଡେଇଁ ମନ୍ଦିର ଭିତରେ ଧସେଇ ପଶିଥିଲେ। କିଛି ମହିଳା ତଳେ ପଡ଼ିଯାଇଥିଲେ। ଆଗାମୀ ୩୧ ତାରିଖ ଏବଂ ନୂଆ ବର୍ଷ ଦିନ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ପୁଲିସ ଏବେଠାରୁ ଯତ୍ନବାନ ହେବାକୁ ଦାବି ହେଉଛି। ଏହାଛଡ଼ା ବଡ଼ଦାଣ୍ଡ ସମେତ ମନ୍ଦିର ଚତୁଃପାର୍ଶ୍ବ ଅଞ୍ଚଳରେ ଟ୍ରାଫିକ୍‌ ନିୟନ୍ତ୍ରଣ ବ୍ୟବସ୍ଥା ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଛି। ସ୍ଥାନୀୟ ଅଧିବାସୀ, ପର୍ଯ୍ୟଟକ ଏବଂ ଭକ୍ତମାନେ ନାହିଁ ନଥିବା ଦୁର୍ଦଶା ଭୋଗୁଛନ୍ତି। ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ପ୍ରମୁଖ ସାହି ରାସ୍ତାରେ ଗାଡ଼ିଗୁଡ଼ିକ ବହୁ ସମୟ ଅଟକି ରହୁଛନ୍ତି। ବେଆଇନ ଗାଡ଼ି ପାର୍କିଂ ଯୋଗୁଁ ଟ୍ରାଫିକ୍‌ ନିୟନ୍ତ୍ରଣ ସମସ୍ୟା ବୃଦ୍ଧି ପାଉଛି।
୩୧ ରାତିସାରା…

Leave A Reply

Your email address will not be published.