ସୁନ୍ଦରଗଡ଼ରେ ନଗଡ଼ା ଚିତ୍ର: ଅପପୁଷ୍ଟିର ଶିକାର ୩,୬୦୦ ଶିଶୁ

ରାଉରକେଲା: ଅପପୁଷ୍ଟି ରୋକିବାକୁ ସରକାରୀ ତହବିଲରୁ ପାଣି ବୋହିଲା ପରି ଅର୍ଥ ଖର୍ଚ୍ଚ କରାଯାଉଛି। ଅଙ୍ଗନବାଡ଼ି ଜରିଆରେ ଶିଶୁମାନଙ୍କୁ ପୋଷଣଯୁକ୍ତ ଲଡ଼ୁ, ଛତୁଆ, ଅଣ୍ଡା ଆଦି ଯୋଗାଇ ଦିଆଯାଉଥିଲେ ମଧ୍ୟ ଏହା ଅପପୁଷ୍ଟିକୁ ‌ରୋକିପାରିନି। ସୁନ୍ଦରଗଡ଼ ଜିଲ୍ଲାର ମୋଟ ୩ ହଜାର ୬୩୩ କୋମଳମତି ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୩୩ ଶିଶୁ ଅତିଶୟ ଅପପୁଷ୍ଟି କବଳିତ। ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ଏହି ସାଂଘାତିକ ତଥ୍ୟ ସୁନ୍ଦରଗଡ଼ ବିକାଶର ଅସଲି ଚିତ୍ର ସାମନାକୁ ଆଣିଛି। ଆଶ୍ଚର୍ଯ୍ୟର କଥା, ଅଣ୍ଡା, ଲଡୁ ଓ ଛତୁଆ ବାବଦରେ ସରକାର ମାସିକ ପାଖାପାଖି ୨ କୋଟି ୧୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିଲେ ହେଁ କିଛି ସୁଫଳ ମିଳୁନି। ଖଣି ଅଞ୍ଚଳର ଏମିତି ଅନେକ ବସ୍ତି ରହିଛି, ଯେଉଁମାନଙ୍କ ପାଖରେ ଆଜି ପର୍ଯ୍ୟନ୍ତ ସରକାରଙ୍କ ଯୋଜନା ପହଞ୍ଚିପାରିନି। ସେମାନଙ୍କ ଶିଶୁଙ୍କ ପାଇଁ ପୋଷଣଯୁକ୍ତ ଖାଦ୍ୟ ଯେମିତି ସାତସପନ ହୋଇଛି। ପୂର୍ବ ସରକାର ସମୟରେ ସ୍ଥିତି ଯାହା ଥିଲା, ଏବେ ବି ସେଇଆ। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି (ଡିଏମ୍ଏଫ୍‌)ରେ ଜିଲ୍ଲାର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ସତ୍ତ୍ବେ ଜିଲ୍ଲାରେ ଅପପୁଷ୍ଟି ସଂଖ୍ୟାରେ ରୋକ୍‌ ଲାଗି ନ ପାରିବା ଚିନ୍ତାଜନକ ବୋଲି ବୁଦ୍ଧିଜୀବୀଙ୍କ ମତ। ସୁନ୍ଦରଗଡ଼ରେ ୦ରୁ ୫ ବର୍ଷ ମଧ୍ୟରେ ମୋଟ ୧ ଲକ୍ଷ ୧୭ ହଜାର ଶିଶୁ ଅଛନ୍ତି। ଲହୁଣିପଡ଼ା ବ୍ଲକ୍‌ରେ ୮,୭୭୫ ଶିଶୁଙ୍କ ମଧ୍ୟରୁ ଜିଲ୍ଲାର ସର୍ବାଧିକ ୫୨୪ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ୪୩୬ ଶିଶୁ ଅପପୁଷ୍ଟି ଓ ୭୫ ଶିଶୁ ଅତିଶୟ ଅପପୁଷ୍ଟିର ଶିକାର ହୋଇଛନ୍ତି। ଦ୍ବିତୀୟସ୍ଥାନରେ ରହିଛି ଉପାନ୍ତ ବ୍ଲକ୍‌ ଗୁରୁଣ୍ଡିଆ। ଏହି ବ୍ଲକ୍‌ରେ ମୋଟ ୪,୬୬୩ ଶିଶୁଙ୍କ ମଧ୍ୟରୁ ୨୬୭ ଶିଶୁ ଅପପୁଷ୍ଟି ଓ ୯୪ ଶିଶୁ ଅତିଶୟ ଅପପୁଷ୍ଟି କବଳିତ। କୋଇଡ଼ାରେ ୮, ୩୫୭ ଶିଶୁଙ୍କ ମଧ୍ୟରୁ ୨୩୧ ଅପପୁଷ୍ଟିର ଶିକାର ହୋଇଛନ୍ତି। ବାଲିଶଙ୍କରାରେ ୫,୨୫୮ରୁ ୧୫୦, ବଡ଼ଗାଁରେ ୩,୬୦୬ରୁ ୧୯୦, ବୀରମିତ୍ରପୁର ପୌରପାଳିକାରେ ୧୭୯୪ରୁ ୫୪, ବିଶ୍ରା ବ୍ଲକ୍‌ରେ ୫,୫୨୧ରୁ ୧୪୫, ବଣାଇଗଡ଼ରେ ୪,୫୨୬ରୁ ୨୩୧, ହେମଗିରିରେ ୪,୫୪୩ରୁ ୨୧୯, କୁଆରମୁଣ୍ଡାରେ ୬,୬୧୫ରୁ ୨୧୪, କୁତ୍ରାରେ ୪,୪୧୩ରୁ ୨୩୦ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ଲାଠିକଟା ବ୍ଲକ୍‌ରେ ୮,୯୮୦ରୁ ୨୦୨, ଲେଫ୍ରିପଡ଼ାରେ ୪,୨୦୯ରୁ ୧୦୦, ନୂଆଗାଁରେ ୬,୨୩୫ରୁ ୧୫୭, ରାଜଗାଙ୍ଗପୁରରେ ୯,୭୫୩ରୁ ୧୫୫, ସବଡେଗାରେ ୩,୩୯୩ରୁ ୧୭୮, ଟାଙ୍ଗରପାଲିରେ ୩,୧୬୧ରୁ ୫୭ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ଏଥିରୁ ବାଦ୍‌ ପଡ଼ିନି ସ୍ମାର୍ଟସିଟି ରାଉରକେଲା ଓ ସୁନ୍ଦରଗଡ଼। ରାଉରକେଲାରେ ମୋଟ ୧୮,୯୪୮ରୁ ୨୦୯ ଓ ସୁନ୍ଦରଗଡ଼ ସହରରେ ୪,୭୮୦ରୁ ୧୩୨ ଶିଶୁ ଅପପୃଷ୍ଟିର ଶିକାର ହୋଇଛନ୍ତି। ରାଜ୍ୟ ରାଜକୋଷକୁ ହଜାର ହଜାର କୋଟି ରାଜସ୍ବ ଦେଉଥିବା ଖଣି ଓ ଶିଳ୍ପାଞ୍ଚଳ ସୁନ୍ଦରଗଡ଼ରେ ଏଭଳି ଚିତ୍ର ଉଦ୍‌ବେଗଜନକ। କେବଳ ଉପାନ୍ତ କୋଇଡ଼ା, ଲହୁଣିପଡ଼ା, ଗୁରୁଣ୍ଡିଆ ବ୍ଲକ୍‌ ନୁହେଁ, ପ୍ରାୟ ସମସ୍ତ ବ୍ଲକ୍‌ରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।

Leave A Reply

Your email address will not be published.