ପହଲଗାମ : ପହଲଗାମ ଆକ୍ରମଣ ପରେ କଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ । ୬ ଘଣ୍ଟାରେ ୩ ହଜାରରୁ ଅଧିକ ଯାତ୍ରୀ ବିମାନ ଯୋଗେ ଶ୍ରୀନଗର ଛାଡିଛନ୍ତି । ପହଲଗାମ ଆକ୍ରମଣ ପରେ ବହୁ ସଂଖ୍ୟାରେ ପର୍ଯ୍ୟଟକ କଶ୍ମୀର ଛାଡୁଛନ୍ତି । ଫଳରେ ଟିକେଟ୍ ଚାହିଦା ବଢି ଯାଇଛି । ଏଥିପାଇଁ ଶ୍ରୀନଗରରେ ଥିବା ସବୁ ଏୟାରଲାଇନ୍ସର କମ୍ପାନୀକୁ ଶ୍ରୀନଗରରେ ବିମାନ ସଂଖ୍ୟା ବଢାଇବାକୁ କହିଛି ଡିଜିସିଏ । ବେସାମରିକ ବିମାନ ଚଳଚଳ ମନ୍ତ୍ରୀ କହିଛନ୍ତି, ଚାହିଦା ବଢିଥିଲେ ମଧ୍ୟ ଟିକେଟ ମୂଲ୍ୟ ନ ବଢାଇବାକୁ ବିମାନ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଟିକେଟ୍ କ୍ୟାନସଲ କରୁଥିଲେ କିମ୍ବା ଯାତ୍ରା ସମୟ ପୁନଃ ନିର୍ଦ୍ଧାରଣ କରୁଥିଲେ, ଯାତ୍ରୀଙ୍କଠାରୁ କ୍ୟାନସଲେସନ ଚାର୍ଜ ଛାଡ ପାଇଁ କୁହାଯାଇଛି । ନିର୍ଦ୍ଦେଶ ପରେ ଅନେକ କମ୍ପାନୀ ଅତିରିକ୍ତ ବିମାନ ଉଡ଼ାଇଛନ୍ତି । ଇଣ୍ଡିଗୋ ଏବଂ ସ୍ପାଇସ୍ ଜେଟ୍ ଅତିରିକ୍ତ ବିମାନ ଉଡ଼ାଣ କରିଛନ୍ତି । ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଭିତରେ ପ୍ରାୟ ୨୦ଟି ବିମାନ ଶ୍ରୀନଗର ଛାଡିଛି । ସେଥିରେ ୩ ହଜାର ୩୩୭ ଯାତ୍ରୀ ଶ୍ରୀନଗର ଛାଡିଛନ୍ତି । ଅଭିଯୋଗ ହେଉଛି, ନିର୍ଦ୍ଦେଶ ପରେ ମଧ୍ୟ ବିମାନ କମ୍ପାନୀଗୁଡିକ ଯାତ୍ରୀଙ୍କଠାରୁ ମାତ୍ରାଧିକ ମୂଲ୍ୟ ନେଉଛନ୍ତି। ସୂଚନାଯୋଗ୍ୟ, ପହଲଗାମ ରିସର୍ଟ ସହରଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଏକ ସୁନ୍ଦର ଅଞ୍ଚଳ ଏବଂ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଶାନ୍ତ ପରିବେଶ ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଲୋକପ୍ରିୟ । ଗତକାଲି ଅପରାହ୍ନ ପ୍ରାୟ ୨ଟା ବେଳେ ପହଲଗାମରେ ପର୍ଯ୍ୟଟକଙ୍କ ଏକ ଗ୍ରୁପକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ଅମରନାଥ ଯାତ୍ରା ପୂର୍ବରୁ ଗତକାଲି ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ନୌସେନା ଓ ଜଣେ ଗୁଇନ୍ଦା ଅଧିକାରୀଙ୍କ ସମେତ ୨୭ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ଏହି ହମଲା ପଛରେ ଆତଙ୍କବାଦୀ ସଙ୍ଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ବା ଟିଆରଏଫ । ଆତଙ୍କବାଦୀ ଆକ୍ରମଣର ତଦନ୍ତ କରୁଛି NIA । ଏହି ଆକ୍ରମଣ ପରେ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।