ବାଲେଶ୍ବର : ଜନ୍ମମାଟିରେ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ । ମଙ୍ଗଳବାର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିଲେ ପ୍ରଶାନ୍ତ । ମୃତଦେହ ପହଞ୍ଚିବା ପରେ ବାଲେଶ୍ବର ଜିଲ୍ଲାର ରେମୁଣା ଇଷାଣୀ ଗାଁରେ ଶୋକର ଛାୟା ଖେଳି ଯାଇଛି । କାନ୍ଦ ବୋବାଳିରେ ଫାଟି ପଡୁଛି ପରିବାର । ବିଳମ୍ବିତ ରାତିରେ ପ୍ରଶାନ୍ତଙ୍କ ମର ଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲା । ସେଠାରେ ସରକାରଙ୍କ ପକ୍ଷରୁ ମୃତଦେହ ଗ୍ରହଣ କରିଥିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । କନକ ବର୍ଦ୍ଧନ କହିଛନ୍ତି, ପହଲଗାମ ଗୁଳିକାଣ୍ଡ ଭୀରୁତା । ପ୍ରଧାନମନ୍ତ୍ରୀ ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବେ । ଆଜି ପ୍ରଶାନ୍ତଙ୍କ ଗାଁକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତକାଲି ପ୍ରଶାନ୍ତଙ୍କ ଗାଁରେ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଥିଲା । ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଓଡିଆ ପୁଅ ପ୍ରଶାନ୍ତ ଶତପଥୀଙ୍କ ମର ଶରୀର ବୁଧବାର ରାତି ୧୨.୩୦ ମିନିଟ୍ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଥିଲା । ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅ ତନୁଜ ମଧ୍ୟ ତାଙ୍କ ସହ ଫେରିଛନ୍ତି । ଗତକାଲି ସ୍ୱତନ୍ତ୍ର ବିମାନରେ ଦିନ ୨. ୩୫ ମିନିଟରେ ପ୍ରଶାନ୍ତଙ୍କ ପାର୍ଥିବ ଶରୀର ଶ୍ରୀନଗରରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲା । ନୂଆଦିଲ୍ଲୀରୁ ପୁଣି ଅନ୍ୟ ଏକ ବିମାନରେ ପାର୍ଥିବ ଶରୀର ଭୁବନେଶ୍ୱର ଆସିଛି। ମରଶରୀର ସହ ଶ୍ରୀନଗର ଯାଇଥିବା ପ୍ରଶାନ୍ତଙ୍କ ସାନ ଭାଇ ବସନ୍ତ ଶତପଥୀ, ଦିଲ୍ଲୀରେ ରହୁଥିବା ଭଉଣୀ ଶ୍ରାବଣୀ ଶତପଥୀ ଓ ଭିଣୋଇ ମନୋରଞ୍ଜନ ମହାନ୍ତି ଓଡ଼ିଶା ଆସିଛନ୍ତି । ସୂଚନା ଅନୁସାରେ ଜମ୍ମୁ କଶ୍ମୀରର ପହଲଗାମରେ ମଙ୍ଗଳବାର ଅପରାହ୍ଣରେ ଘଟିଥିବା ଆତଙ୍କବାଦୀଙ୍କ ଗୁଳିମାଡ଼ର ଶିକାର ହୋଇଛନ୍ତି ପ୍ରଶାନ୍ତ ଶତପଥୀ । ସେ ଗତ ୧୯ ତାରିଖ ଦିନ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜଙ୍କୁ ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ । ପୁଅ ଓ ପତ୍ନୀଙ୍କ ସହିତ ବୁଲୁଥିବା ବେଳେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କ ଉପରେ ଅତର୍କିତ ଭାବେ ଗୁଳି ଚଳାଇଥିଲେ । ପ୍ରଶାନ୍ତଙ୍କ ମୃତ୍ୟୁ ନେଇ ଜମ୍ମୁ କଶ୍ମୀର ଅନନ୍ତନାଗ ପୋଲିସ ସ୍ପଷ୍ଟ କରିଛି । ଆତଙ୍କୀଙ୍କ ଗୁଳିରେ ପ୍ରଶାନ୍ତଙ୍କ ମୃତ୍ୟୁ ପରେ ସାରଗାଁ ଗ୍ରାମପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି ।