ଡେଲାଙ୍ଗ: ରାତି ପାଖାପାଖି ୧୧ଟା ବାଜିବ । ଗାଁରେ ଲାଗିଲା ଏକ ମାରୁତି ଗାଡି । ଗାଡ଼ିରେ ଥିଲେ ତିନି ଜଣ ଯୁବକ । ଗାଡ଼ିରୁ ଓଲ୍ଲାହବା ପରେ ଗାଁର ଦୁଇ ଜଣ ଯୁବକଙ୍କ ସହିତ କିଛି ଆଲୋଚନା କରିଥିଲେ । ଆମକୁ ପଚାଶ ହଜାର ଟଙ୍କା ଦିଅ ଆମେ ଆପଣଙ୍କୁ କିଛି ଘଣ୍ଟା ମଧ୍ୟରେ ତିନି ଲକ୍ଷ ଟଙ୍କା ଦେବୁ । ଏହି କଥାକୁ ନେଇ ଗାଁର ଯୁବକ ଏବଂ କାରରେ ଆସିଥିବା ଯୁବକମାନଙ୍କ ମଧ୍ୟରେ କଥା କଟାକାଟି ଚାଲିଲା । ଶେଷରେ ଗ୍ରାମବାସୀ ଯୁବକମାନଙ୍କୁ ଗାଁର ଏକ କୋଠା ଘରେ ଅଟକ ରଖିଥିଲେ । ରାତି ତମାମ ଘରେ ବନ୍ଦୀ ରଖିବା ପରେ ସକାଳେ ଯୁବକମାନଙ୍କ ପାଖକୁ ଡେଲାଙ୍ଗ ପୋଲିସ ପହଞ୍ଚି ଉଦ୍ଧାର କରିଥିଲା । ସେପଟେ ଅଟକ ରହିଥିବା ଯୁବକମାନଙ୍କ ମଧ୍ୟରୁ ଜଣେ ଏଠାକୁ କ’ଣ ପାଇଁ ଆସିଥିଲେ ତାହା ସ୍ପଷ୍ଟ କରିଥିଲେ । ଟଙ୍କା ଅଦଳ ବଦଳ ନୁହେଁ ବରଂ ଆମେ ହନୁମାନ ଟଙ୍କା କାରବାର ଉଦେଶ୍ୟରେ ଏହି ସାଦପଡ଼ା ଗାଁକୁ ଆସିଥିଲୁ । ଗାଁର ଦୁଇ ଜଣ ଯୁବକ ଆମକୁ ଡାକିଥିଲେ ତେଣୁ ଆମେ ଗାଁକୁ ଆସିଥିଲୁ ବୋଲି ଅଭିଯୁକ୍ତ କହିଛନ୍ତି । ସେପଟେ ପିପିଲି ଏସଡିପିଓ ଖବର ପାଇ ଘଟଣା ସ୍ଥଳରୁ ଅଭିଯୁକ୍ତମାନଙ୍କୁ ଅଟକ ରଖିଛନ୍ତି । ସେମାନଙ୍କ ଘର ଚନ୍ଦନପୁର ଏବଂ ବରଗଡ଼ ଜିଲ୍ଲାରେ ହୋଇଥିବା ବେଳେ ସେମାନେ କ’ଣ ପାଇଁ ଆସିଥିଲେ ତଦନ୍ତ କରିବା ସହିତ ସେମାନଙ୍କ ଠାରୁ ଏକ ଜେରକ୍ସ ମେସିନ, କିଛି କେମିକାଲ ଏବଂ କିଛି ମାରଣାସ୍ତ୍ର ଜବତ କରିଛି ପୋଲିସ । ତେବେ ବର୍ତ୍ତମାନ ଏନେଇ ଅଧିକ ଅନୁସନ୍ଧାନ ଚାଲିଛି । ସେମାନଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ମାମଲା ଅଛି ଯାହାକୁ ଆଧାର କରି ଏବେ ଅଧିକ ତଦନ୍ତ ଚଳାଇଛି ପୋଲିସ । ତେବେ ଏହି ହନୁମାନ ଟଙ୍କା କି ଜାଲି ନୋଟ । ଯାହାକୁ ନେଇ ପୁରୀ ଜ଼ିଲ୍ଲା ଡେଲାଙ୍ଗ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ତେବେ କିଏ ଏବଂ କାହିଁକି ଏଭଳି କାରବାର ପାଇଁ ଡେଲାଙ୍ଗ ଭଳି ଅଞ୍ଚଳକୁ ବାଛିଲେ ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।