ପହଲଗାମରେ ଆତଙ୍କୀ ହମଲା ପରେ ଆକ୍ସନ ମୋଡରେ BCCI । ଖବର ମୁତାବକ, ବିସିସିଆଇ ଆଇସିସିକୁ ଏନେଇ ଚିଠି ଲେଖିଛି । ବିସିସିଆଇ କହିଛି ଯେ, ପାକିସ୍ତାନ ସହିତ ମ୍ୟାଚ୍ ଖେଳିବାକୁ ଚାହୁଁନି । ଭାରତ ଓ ପାକିସ୍ତାନ ଶେଷ ଥର ପାଇଁ ୨୦୨୫ ମସିହାରେ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ମୁହାଁମୁହିଁ ହୋଇଥିଲା । ସେହି ମ୍ୟାଚ୍ରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଥିଲା ।
ରିପୋର୍ଟ ଅନୁଯାୟୀ, ବିସିସିଆଇ ଆଇସିସିକୁ ଏକ ଚିଠି ଲେଖିଛି । ଚିଠିରେ ଅନୁରୋଧ କରିଛି କି, ଭବିଷ୍ୟତରେ ICC ବିଶ୍ୱସ୍ତରୀୟ ଇଭେଣ୍ଟଗୁଡ଼ିକରେ ଭାରତ ଓ ପାକିସ୍ତାନକୁ ଗୋଟିଏ ଗ୍ରୁପ୍ରେ ରଖାନଯାଉ । ବିସିସିଆଇ ଆଉ ଭାରତ ଓ ପାକିସ୍ତାନ ମଧ୍ୟରେ ମୁହାଁମୁହିଁ ମ୍ୟାଚ୍ ହେବାକୁ ଚାହୁଁନାହିଁ । ଅତି କମରେ ICC ଇଭେଣ୍ଟଗୁଡ଼ିକର ଗ୍ରୁପ୍ ପର୍ଯ୍ୟାୟରେ ରହୁ ।

କିନ୍ତୁ ଉଭୟ ଦଳ ICC ମହିଳା ODI ବିଶ୍ୱକପରେ ଅଂଶଗ୍ରହଣ କରିବେ । ପାକିସ୍ତାନ ଆଠଟି ଦଳର ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା । ଯେଉଁଠାରେ ପ୍ରତ୍ୟେକ ଦଳ ରାଉଣ୍ଡ-ରବିନ୍ ଫର୍ମାଟରେ ଅନ୍ୟ ସମସ୍ତ ଦଳ ବିପକ୍ଷରେ ଖେଳିବେ। ICC, PCB ଏବଂ BCCI ମଧ୍ୟରେ ହୋଇଥିବା ଏକ ପୁରୁଣା ଚୁକ୍ତିନାମା ଅନୁଯାୟୀ, ପାକିସ୍ତାନ ଭାରତରେ ଏହାର କୌଣସି ମ୍ୟାଚ୍ ଖେଳିବ ନାହିଁ ।
ଚଳିତ ବର୍ଷ ୨୬ ସେପ୍ଟେମ୍ବରରୁ ୨ ନଭେମ୍ବର ମଧ୍ୟରେ ଭାରତରେ ମହିଳା ବିଶ୍ୱକପ୍ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଯେଉଁଠାରେ ଭାରତ ଓ ପାକିସ୍ତାନ ପାଇଁ ନିରପେକ୍ଷ ସ୍ଥାନ ବିଷୟରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।
ସେହିପରି ପୁରୁଷ ଆଇସିସି ଟୁର୍ଣ୍ଣାମେଣ୍ଟ ୨୦୨୬ରେ ହେବ । ଭାରତ ଏବଂ ଶ୍ରୀଲଙ୍କା ଫେବ୍ଆରୀ ଏବଂ ମାର୍ଚ୍ଚ ମଧ୍ୟରେ ଟି୨୦ ବିଶ୍ବକପ ଆୟୋଜନ କରିବ । ହେଲେ ବିସିସିଆଇ ଚିନ୍ତା ଏସିଆ କପକୁ ନେଇ ରହିଛି । ଯାହା ସେପ୍ଟେମ୍ବରରେ ଖେଳାଯିବ । ତେବେ ବୋର୍ଡ ଭାରତ ସରକାରଙ୍କ ନିଷ୍ପତ୍ତିକୁ ପାଳନ କରିବ ବୋଲି ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ପୂର୍ବରୁ କହିଥିଲେ ।