କଶ୍ମୀର : ଏପ୍ରିଲ ୨୨ ତାରିଖ । କଶ୍ମୀର ପହଲଗାମରେ ପ୍ରକୃତିକୁ ଉପଭୋଗ କରୁଥିବା ବେଳେ ପର୍ଯ୍ୟଟକମାନଙ୍କ ଉପରେ ଅଚାନକ ଆକ୍ରମଣ କଲେ ଆତଙ୍କୀ । ଜଣ ଜଣକୁ ନାଁ ପଚାରି ପଚାରି ହତ୍ୟା କଲେ । ପ୍ରାଣ ହରାଇଲେ ୨୬ ଜଣ ପର୍ଯ୍ୟକ । କିଏ ନବବିବାହିତ ଥିଲେ ତ ଆଉ କେହି ବିବାହ ବାର୍ଷିକୀ ପାଳନ କରିବାକୁ ଯାଇଥିଲେ । ଖୁସି ମନାଉଥିଲା ବେଳେ ଆସି ପତ୍ନୀ ଠାରୁ ସ୍ୱାମୀଙ୍କୁ ଅଲଗା କରି ଦେଲେ ଆତଙ୍କୀ । ବନ୍ଧୁକ ଗୁଳିରେ ନେଇଗଲେ ଜୀବନ । ଅନେକ ମହିଳା କିଛି କ୍ଷଣରେ ନିଜ ସାତ ଜନ୍ମର ସାଥୀଙ୍କୁ ହରାଇଲେ । ଏମାନଙ୍କ ଭିତରେ ଥିଲେ କାନପୁରର ୩୧ ବର୍ଷୀୟ ବ୍ୟବସାୟୀ ଶୁଭମ ଦ୍ୱିବେଦୀ । ଗତ ଫେବ୍ରୁଆରୀ ୧୨ ତାରିଖରେ ତାଙ୍କର ଆସାନ୍ୟାଙ୍କ ସହ ବାହାଘର ହୋଇଥିଲା । ସ୍ୱାମୀ ସ୍ତ୍ରୀ ଖୁସିରେ ବୁଲୁଥିବା ବେଳେ ଜଣେ ଆତଙ୍କୀ ଆସି ଶୁଭମଙ୍କୁ ପଚାରିଥିଲା, ତୁମେ ହିନ୍ଦୁ ନା ମୁସଲମାନ୍ ? ଶୁଭମ୍ କହିଥିଲେ ମୁଁ ହିନ୍ଦୁ । ବାସ୍ ତା ପରେ ପ୍ରଥମ ଗୁଳି ବାଜିଥିଲା ଶୁଭମଙ୍କ ଦେହରେ । ସେଇଠି ସ୍ତ୍ରୀ ଆଗରେ ଟଳି ପଡ଼ିଥିଲେ । ପତ୍ନୀ ଆସାନ୍ୟା କହିଛନ୍ତି, ମୋ ସ୍ୱାମୀ ସାହସର ସହ କହିଥିଲେ ମୁଁ ହିନ୍ଦୁ ବୋଲି । ମୋରି ଆଗରେ ଅନ୍ୟ କେତେ ଜଣ ପ୍ରାଣ ବଞ୍ଚାଇ ଦୌଡ଼ି ପଳାଇଥିଲେ । ହେଲେ ମୋ ସ୍ୱାମୀ ଜବାବ ଦେଇଥିଲେ । ତେଣୁ ତାଙ୍କୁ ମାରି ଦିଆଗଲା । ତାଙ୍କ ମୃତ୍ୟୁ ମେତେ ଓ ମୋ ପରିବାରକୁ ଭୀଷଣ କଷ୍ଟ ଦେଇଛି । ଆମେ ତାଙ୍କୁ ଆଉ କେବେବି ଫେରି ପାଇବୁ ନାହିଁ ଏକଥା ସତ । ତେବେ ତାଙ୍କ ଜୀବନ ବଦଳରେ ମୁଁ ଆଉ କିଛି ଚାହୁଁ ନାହିଁ । ତାଙ୍କୁ ସହିଦ ଘୋଷଣା କଲେ ଆମ ପରିବାର ଖୁସି ହେବ । ଆସାନ୍ୟା ସେଦିନର ଘଟଣାକୁ ବର୍ଣ୍ଣନା କରିଥିଲେ । କହିଥିଲେ ଆମେ ଦୁଇଜଣ ବୁଲିଥିବା ବେଳେ ଲୋକଟି ଆସି ପଚାରିଲା ତୁମେ ହିନ୍ଦୁ ନା ମୁସଲମାନ । ଆମେ ଭାବିଲୁ ସେ ଥଟ୍ଟା କରୁଛି । ତେଣୁ କଣ ପାଇଁ ପଚାରୁଛ ବୋଲଇ ମୁଁ କହିଲି । ସେ ପୁଣି ଥରେ ଧର୍ମ ପଚାରିଲା ଆଉ ଯେତେବେଳେ ଆମେ ହିନ୍ଦୁ ବୋଲି କହିଲୁ ସେତେବେଳେ ସେ ଶୁଭମଙ୍କ କପାଳକୁ ଲକ୍ଷ୍ୟ କରି ଗୁଳି କରି ଦେଲା । ମୁଁ କିଛି ବୁଝିବା ପୂର୍ବରୁ ଶୁଭମ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ । ମୁଁ ଲୋକଟିକୁ ବିନତି କଲି ମୋତେ ବି ମାରିଦେ ବୋଲି । ହେଲେ ସେ କହିଲା ତୁମକୁ ଜୀବତ ରଖାଗଲା ଏଥିପାଇଁ କି ତୁମେ ଯାଇ ଏସବୁ କଥା ସରକାରଙ୍କୁ କହିବ । କେବଳ ଶୁଭମଙ୍କ ପରିବାର ନୁହେଁ ପହଲଗାମରେ ପ୍ରାଣ ହରାଇଥିବା ଅନ୍ୟ ମୃତକଙ୍କ ପରିବାର ଲୋକେ ମଧ୍ୟ ଚାହୁଁଛନ୍ତି ସେମାନେ ହରାଇଥିବା ଲୋକଙ୍କୁ ସହିଦ ଘୋଷଣା କରାଯାଉ । କାରଣ ସେମାନେ ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି ।