ପାକ୍ ସେନାରେ ଭୟର ବାତାବରଣ । ଯୁଦ୍ଧ ଭୟରେ ସେନା ଛାଡ଼ୁଛନ୍ତି ପାକିସ୍ତାନୀ ସୈନ୍ୟ । ଜମ୍ମୁ କାଶ୍ମୀର ପହଲଗାମ ବୈସରନ ଭ୍ୟାଲିରେ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତିଶୋଧ ପାଇଁ କସରତ ଆରମ୍ଭ କରିଛି ଭାରତ । ଆଉ ଭାରତର ଆଭିମୁଖ୍ୟକୁ ଦେଖି ଭୟରେ ପାକିସ୍ତାନରେ ସାମରିକ ଅଧିକାରୀ ଏବଂ ସୈନିକଙ୍କ ଇସ୍ତଫାର ଧାରା ବଢ଼ିଛି । ପାକିସ୍ତାନରେ ପ୍ରାୟ ୨୫୦ ଅଫିସର ଏବଂ ୨ ହଜାରରୁ ଅଧିକ ସୈନିକ ଇସ୍ତଫା ଦେଇଛନ୍ତି । ଏହା ଭାରତ ବିରୋଧରେ ଯୁଦ୍ଧ ପ୍ରସ୍ତୁତି ପାଇଁ ଗର୍ବ କରୁଥିବା ପାକିସ୍ତାନରେ ଆତଙ୍କ ସୃଷ୍ଟି କରିଛି । ଏପଟେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ମୁନିର ଆତଙ୍କବାଦୀ ସଂଗଠନ ମାଧ୍ୟମରେ ପହଲଗାମରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଭାରତ-ପାକିସ୍ତାନ ସୀମା ସୁରକ୍ଷା ଦାୟିତ୍ୱରେ ଥିବା ୧୧ତମ କର୍ପସର ଶୀର୍ଷ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉମର ଅହମ୍ମଦ ବୁଖାରୀ ଏ ସମ୍ପର୍କରେ ସେନା ମୁଖ୍ୟାଳୟକୁ ସୂଚନା ଦେଇଛନ୍ତି । ସେନାରେ ମୋର୍ଚ୍ଚା ପରିଚାଳନା କରିବା ପାଇଁ ଅଧିକାରୀଙ୍କ ଅଭାବ ରହିଛି । ଅନ୍ୟପଟେ ପାକିସ୍ତାନୀ ନେତାମାନେ ଭାରତର କସରତ ଦେଖି ଭୟରେ ନିଜ ପରିବାରକୁ ଦେଶ ବାହାରକୁ ପଠାଉଛନ୍ତି । ଏହି ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ନିଜର ଲଜ୍ୟାଜନକ କାର୍ଯ୍ୟକଳାପକୁ ଲୁଚାଇବାକୁ ଯାଇ ଚୀନ ସହିତ ହାତ ମିଶାଇଛି । ପହଲଗାମର ଆକ୍ରମଣ ପରେ ଅନେକ ବରିଷ୍ଠ ଅଧିକାରୀ ସେମାନଙ୍କ ପରିବାରକୁ ବାହାରକୁ ପଠାଇଦେଇଥିବାକୁ ନେଇ ସୂଚନା ମିଳୁଛି । ବର୍ତ୍ତମାନ ପାକ୍ ସେନାଙ୍କୁ ସମର୍ଥନ କରିବାକୁ କହିଲେ ମଧ୍ୟ ଜନସାଧାରଣଙ୍କଠାରୁ ସେତିକି ସମର୍ଥନ ମିଳିପାରୁନାହିଁ ।