ଭାରତ ନଛାଡ଼ିଲେ ପାକିସ୍ତାନୀଙ୍କୁ ଜେଲଦଣ୍ଡ ସହ ଜୋରିମାନା

ମେଡିକାଲ ଭିସାରେ ଭାରତରେ ଥିବା ପାକିସ୍ତାନ ନାଗରିକଙ୍କ ଆଜି ସରୁଛି ଡେଡଲାଇନ । ୨୯ ତାରିଖ ପର୍ଯ୍ୟନ୍ତ ସେମାନେ ଭାରତରେ ରହିପାରିବେ ବୋଲି କୁହାଯାଇଥିଲା । ତେବେ ଅନ୍ୟ ପାକିସ୍ତାନ ନାଗରିକଙ୍କୁ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବା ପାଇଁ ନିର୍ଦ୍ଦେଶ ରହିଥିଲା । ୨୭ ତାରିଖରେ ଡେଡଲାଇନ ସରିଥିଲେ ମଧ୍ୟ  ଏବେ ବି ଭାରତ ଛାଡିନାହାନ୍ତି ବହୁ ପାକିସ୍ତାନୀ ନାଗରିକ । ଏପଟେ ଓଡ଼ିଶାରେ ୧୨ଜଣ ପାକିସ୍ତାନ ନାଗରିକ ରହୁଥିବା ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ଜଣେ ମହିଳା ଓଡ଼ିଶା ଛାଡ଼ି ପାକିସ୍ତାନ ପଳାଇଛନ୍ତି । ଭୁବନେଶ୍ବରରେ ରହୁଥିବା ନଗମା ୟୁସୁଫ୍ କରାଚିରେ ପହଞ୍ଚିଛନ୍ତି । ଅନ୍ୟ ୧୦ ଜଣ ପାକ ନାଗରିକଙ୍କ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ନାହିଁ ।  ଭାରତ ଛାଡ଼ି ନଥିବା ପାକିସ୍ତାନ ନାଗରିକଙ୍କୁ ଗିରଫ କରାଯିବା ସହ ସେମାନଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ହୋଇପାରେ। ସେହିପରି ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ମଧ୍ୟ ହୋଇପାରେ। କଣ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ ତାକୁ ଅପେକ୍ଷା ରହିଥିବା ବେଳେ ଆଜି ମେଡିକାଲ ଭିସାରେ ଭାରତରେ ଥିବା ପାକିସ୍ତାନ ନାଗରିକଙ୍କ ଡେଡଲାଇନ ସରୁଛି । ଅନ୍ୟପଟେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରି ଭାରତ ସୀମା ଛାଡିବାକୁ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛନ୍ତି । ଗୃହ ସଚିବ କନଫରେନ୍ସିଂ ଜରିଆରେ ବିଭିନ୍ନ ବିଭାଗର ମୁଖ୍ୟ ସଚିବଙ୍କ ସହିତ ଆଲୋଚନା କରିଥିଲେ । ଦେଶ ନଛାଡିଲେ ସେମାନଙ୍କ ପ୍ରତି କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପାକିସ୍ତାନୀ ନାଗରିକଙ୍କର ଦେଶ ନଛାଡିବାକୁ ବରଦାସ୍ତ କରାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ଆକ୍ରମଣ ପରେ ଭାରତ ତୁରନ୍ତ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭିସା ବାତିଲ ସମେତ ଅନେକ କଠୋର ନିଷ୍ପତ୍ତି ନେଇଥିଲା ।

Leave A Reply

Your email address will not be published.