ଜମା ଟଙ୍କା ଫେରି ପାଇଲେ ସହରାଞ୍ଚଳ ସମବାୟ ବ୍ୟାଙ୍କ ଜମାକାରୀ, ୧୧୭ ଜଣଙ୍କ ଫେରିଲା ୨କୋଟି ୮୦ ଲକ୍ଷ

ଭୁବନେଶ୍ୱର: ଭୁବନେଶ୍ୱର ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ଜମାକାରୀଙ୍କ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ । ଓଡ଼ିଶାରେ ସମବାୟର ଆଦ୍ୟ ପ୍ରବକ୍ତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଜମାକାରୀଙ୍କ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତୀକାତ୍ମକ ଭାବେ ୯ ଜଣ ଜମାକାରୀଙ୍କୁ ଚେକ୍‍ ପ୍ରଦାନ କରି ଅର୍ଥ ଫେରସ୍ତ ପ୍ରକ୍ରିୟାରେ ଶୁଭାରମ୍ଭ କରିଛନ୍ତି । ଗତକାଲି ପ୍ରଥମ ଦିନରେ ୧୧୭ ଜମାକାରୀଙ୍କ ୨ କୋଟି ୮୦ ଲକ୍ଷ ଟଙ୍କା ଫେରସ୍ତ ହୋଇଛି । ମୋଟ ୯ହଜାର ୫୩୭ ଜମାକାରୀ ପାଇବେ ୨୦କୋଟି ୯୬ ଲକ୍ଷ ଟଙ୍କା । ଏହାସହିତ ଢେଙ୍କାନାଳ, ଛତ୍ରପୁର, ଆସ୍କା ଓ ଭଞ୍ଜନଗର ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଗୁଡ଼ିକର ଜମାକାରୀଙ୍କୁ ମଧ୍ୟ ଅର୍ଥ ମଧ୍ୟ ଫେରସ୍ତ କରାଯିବ । ଏହି ୪ ଟି ବ୍ୟାଙ୍କର ୧୭ ହଜାର ୮୫୯ ଜଣ ଜମାକାରୀଙ୍କୁ ୬ କୋଟିରୁ ଅଧିକ ଟଙ୍କା ଫେରସ୍ତ ହେବ। ୨୦୩୬ ସୁଦ୍ଧା ରାଜ୍ୟର ସମସ୍ତ କୃଷକଙ୍କୁ ସମବାୟ ପରିସରଭୁକ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଦୀର୍ଘଦିନର ପରିଚାଳନାଗତ ତ୍ରୁଟି ଯୋଗୁଁ ଭୁବନେଶ୍ୱର ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ଆର୍ଥିକ ପରିସ୍ଥିତି ଖରାପ ହୋଇଯାଇଥିଲା । ୨୦୧୫ ରେ ବ୍ୟାଙ୍କ ବନ୍ଦ ହେବା ବେଳକୁ ୧୧ ହଜାର ୬୭୩ ଜମାକାରୀଙ୍କ ୩୩ କୋଟି ୮୭ ଲକ୍ଷ ଟଙ୍କା ଫେରସ୍ତ ପାଇବାର ଥିଲା । ଏଭିତରେ ୨୭୦୯ ଜଣ ଜମାକାରୀଙ୍କ ମୋଟ ୧୨ କୋଟି ୭୮ ଲକ୍ଷ ଟଙ୍କା ଫେରସ୍ତ କରାଯାଇଥିବା ବେଳେ ୧ ଲକ୍ଷରୁ ଅଧିକ ଟଙ୍କା ଥିବା ଜମାକାରୀ ସେମାନଙ୍କ ଅର୍ଥ ଫେରସ୍ତ ପାଇ ପାରିନଥିଲେ। ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଏହି ଜମାକାରୀଙ୍କର ଅର୍ଥ ଫେରସ୍ତ ପାଇଁ ନିଷ୍ପତ୍ତି ନେଇଥିଲେ ।

Leave A Reply

Your email address will not be published.