ଜମ୍ମୁକାଶ୍ମୀର : ବଢୁଛି ଯୁଦ୍ଧ ଆଶଙ୍କା । ଅପରେସନ୍ ସିନ୍ଦୂର ପରେ ସୀମାନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପ-ରାଜ୍ୟପାଳଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଅମିତ ଶାହ । ପାକିସ୍ତାନ ଓ ନେପାଳ ସୀମାନ୍ତ ୯ଟି ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ଡିଜିପି ଓ ଉପ-ରାଜ୍ୟପାଳଙ୍କ ସହ ବୈଠକ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଏହି ଉଚ୍ଚସ୍ତରୀୟ ବୈଠକରେ ଜମ୍ମୁକାଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜୁରାଟ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ସିକିମ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଓ ଲଦାଖର ଉପ-ରାଜ୍ୟପାଳ ସାମିଲ ହୋଇଥିଲେ । ବୈଠକରେ ଏୟାରଷ୍ଟ୍ରାଇକ୍ ପରର ସ୍ଥିତିକୁ ନେଇ ଆଲୋଚନା କରାଯାଇଛି ।
ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ଶାହ । ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ଶାହ। ଯେକୌଣସି ପରିସ୍ଥିତିରେ କିଛି ବି ହୋଇପାରେ । କେତେବେଳେ ବି ଆଟାକ୍ ହୋଇପାରେ । ତେଣୁ ସମସ୍ତେ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି SDRF, ଗୃହରକ୍ଷୀ, NCC ଏବଂ ଉଦ୍ଧାର ବାହିନୀକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଗଲା । ଏହାସହ ଗଣମାଧ୍ୟମରେ ଯେପରି ଏହି ସମୟରେ କୌଣସି ଦେଶ ବିରୋଧୀ ପ୍ରଚାର ନ ହୁଏ ସେଥିପ୍ରତି ମଧ୍ୟ ନଜର ରଖିବାକୁ କୁହାଯାଇଛି । ଦୁର୍ବଳ ସ୍ଥାନରେ ଯୋଗାଯୋଗ ଏବଂ ସୁରକ୍ଷା ବଜାୟ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ବୁଧବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ତାଙ୍କୁ ଅପରେସନ ସିନ୍ଦୂର ଉପରେ ଏକ ରିପୋର୍ଟ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ଏହାପୂର୍ବରୁ ସକାଳେ ଏକ CCS ବୈଠକ କରିଥିଲେ । ସେ କ୍ୟାବିନେଟ ବୈଠକରେ ମଧ୍ୟ ଯୋଗ ଦେଇଥିଲେ। ଏଥିରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୬ ନିରୀହ ଭାରତୀୟଙ୍କ ଜୀବନ ଯାଇଥିଲା । ଏବେ ଏହାର କଡା ଜବାବ ଭାରତୀୟ ସେନା ଦେଇଛନ୍ତି । ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ହୋଇଥିବା ଅପରେସନ ସିନ୍ଦୂରରେ ଭାରତୀୟ ସେନା ପାକିସ୍ତାନ ଏବଂ ପାକ ଅଧିକୃତ କାଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ କରିଥିଲା । ଯେଉଁଥିରେ ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୈବା ଏବଂ ଜୈଶ-ଏ-ମହମ୍ମଦର ଗଡ଼ ସାମିଲ ଥିଲା ।