କେନ୍ଦୁଝର: ସତରେ ଭାରି ହୃଦୟ ବିଦାରକ ଏ ଘଟଣା । କେମିତି ବା ସମ୍ଭାଳି ହୋଇ ରହିବ ଏ ପରିବାର । ହେ ନାରାୟଣ କଣ ଘଟିଗଲା । ଏ କି ନିଷ୍ପତ୍ତି ତୁମର ପ୍ରଭୁ । ଏମିତି କଣ କାହାର ଜୀବନ ଚାଲିଯାଏ । ୨ ବର୍ଷର କଅଁଳ ଛୁଆର ଆଖି ସାମ୍ନାରେ ଚିତ୍କାର କରି ଛଟପଟ ହେଉଥିଲା ମାଆ । କେମିତି ବା ସେ ସହି ପାରିଥାନ୍ତା । ତେଣୁ କୁନି କୁନି ପାଦରେ ଥିରି ଥିରି କରି ଦୌଡି ଯାଇ ଧରିପକାଇଲା ମାଆକୁ । ସେ ବା କାହିଁକି ବୁଝିବ ମାଆ ତାର ମୃତ୍ୟୁ ମୁଖରେ ପଡିସାରିଛି । ଦେଖୁ ଦେଖୁ ମାଆ ସାଙ୍ଗରେ କୁନି ପୁଅ ବି ପଡିଗଲା କାଳ ଆଗରେ । ଏକାସାଥିରେ ଧରାଧରି ହୋଇ ଆରପାରିକୁ ଚାଲିଗଲେ ମାଆ ପୁଅ । ଦୁଃଖ ଏମିତି ବି ଆସେ । ମେଡିକାଲ୍ ରେ ପଡିଛି ମୃତଶରୀର । ପରିବାର ଲୋକେ ଯେମିତି ସ୍ଥାଣୁ ପାଲଟିଯାଇଛନ୍ତି । ନିମିଷକ ଭିତରେ କ’ଣ ଘଟିଗଲା କେହି କିଛି ବୁଝି ପାରୁନାହାନ୍ତି । ଅକାଳରେ ଚାଲିଗଲା ଦୁଇ ଦୁଇଟା ନୀରହ ଜୀବନ । ଦଇବର ଏ କି ଖେଳ । ଲୁଗା ଶୁଖାଇବା ହେଳା କାଳ । ବିଦ୍ୟୁତ୍ କରେଣ୍ଟ ଲାଗି ଚାଲିଗଲା ମାଆ ପୁଅଙ୍କ ଜୀବନ । ଯାହା ସୂଚନା ମିଳିଛି, କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବାଂଶପାଳ ବଜାରରେ ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ବିଦ୍ୟୁତ୍ କରେଣ୍ଟ ଲାଗି ସ୍ଥାନୀୟ ବାଂଶପାଳ ବଜାରର ସୌମ୍ୟ ରଞ୍ଜନ ବେହେରାଙ୍କ ସ୍ତ୍ରୀ କଳ୍ପନା ମହାକୁଡ଼ ଏବଂ ୨ ବର୍ଷ ର ଶିଶୁ ପୁତ୍ର ଶୁଭ୍ରଜିତର ମୃତ୍ୟୁ ଘଟିଥିବା ବେଳେ ସୌମ୍ୟଙ୍କ ମାଆ ଶାନ୍ତିଲତା ବେହେରାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସୂଚନା ଅନୁସାରେ ଆଜି ଦିନ ବେଳା କଳ୍ପନା ଯାହାଙ୍କ ବୟସ ୨୩ ବର୍ଷ, ଯିଏକି ନିଜ ଘର ଅଗଣାରେ ଲୁଗା ଶୁଖାଉଥିବା ବେଳେ ପାଖରେ ଯାଇଥିବା ଇଲେକ୍ଟ୍ରି ତାରଟି ଲୁଗା ଶୁଖାଉଥିବା ତାର ସହିତ ରଷ୍ଟ ହୋଇ କରେଣ୍ଟ ହୋଇଯାଇଥିଲା । ଫଳରେ କଳ୍ପନାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା । ଯାହାଫଳରେ ସେ ଚିତ୍କାର କରିଉଠିଥିଲେ । ପାଖରେ ଥିବା ୨ ବର୍ଷର ଶିଶୁ ପୁତ୍ର ମାଆର ଚିତ୍କାର ଶୁଣି ମାଆର କଣ ହେଲା ବୋଲି ଧାଇଁ ଆସି ଧରିପକାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଉଭୟ ମାଆ ଓ ଶିଶୁ ପୁତ୍ରର ମୃତ୍ୟ ଘଟିଥିଲା । ତେବେ ଏହି ସମୟରେ ଶାଶୁ ଶାନ୍ତିଲତା ପାଖକୁ ଯାଇ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ତାଙ୍କୁ ମଧ୍ୟ ବିଦ୍ୟୁତ୍ ଆଘାତ ଲାଗିଥିଲା । ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ବାଂଶପାଳ ମେଡିକାଲକୁ ନେଇ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ଉଭୟ ମାଆ ଓ ପୁଅଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଗୁରୁତର ଶାଶୁ ଶାନ୍ତିଲତାଙ୍କ ଅବସ୍ଥା ସଙ୍କଟପନ୍ନ ହେବାରୁ ତାଙ୍କୁ ଧରଣୀଧର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏ ନେଇ ପରିବାର ଲୋକ କିମ୍ଵା ଅଞ୍ଚଳବାସୀ ବା ଡାକ୍ତର କ୍ୟାମେରା ସମ୍ମୁଖରେ କେହି କିଛି କହିବାକୁ ମନା କରିଦେଇଛନ୍ତି ।