ଆନ୍ଦୋଳନ ପରେ ବି ପୂରଣ ହେଉନି ପଦବୀ

ଦାରିଙ୍ଗବାଡି :କୃଷି କ୍ଷେତ୍ରରେ ବିକାଶ ପାଇଁ ହେଉକି ସାଧାରଣ ବଣ୍ଟନରେ ହେଉ କିମ୍ବା ବିହନ ବଣ୍ଟନ ସହ ମିନି ବ୍ୟାଙ୍କ ଜରିଆରେ ଲୋକଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଦାରିଙ୍ଗବାଡି ବୃହଦାଗାର ବହୁମୁଖୀ ସମବାୟ ସମିତି ଲିମିଟେଡ଼ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି। କିନ୍ତୁ ଏବେ ଏହି ସମବାୟ ସମିତିରେ ଅନେକ ସମସ୍ୟା ରହିଥିଲେ ମଧ୍ୟ ସେଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରୁଛନ୍ତି। ଫଳରେ ସମୟ ଅନୁସାରେ ବୋର୍ଡ ବୈଠକ ହୋଇପାରୁନଥିବା ବେଳେ ସମିତିରେ ରହିଥିବା ଏକାଧିକ ବଣ୍ଟନକେନ୍ଦ୍ରର ସେଲ୍ସମ୍ୟାନ ପଦବୀ ଖାଲି ପଡିଛି। ତାକୁ ପୂରଣ କରିବାକୁ ପୂର୍ବରୁ ଦାବି ହୋଇଆସୁଥିବା ବେଳେ ଗତ ମାର୍ଚ୍ଚ-୨୦ରେ ସମିତିର ବୋର୍ଡ ସଦସ୍ୟମାନେ ଅନଶନରେ ବସିଥିଲେ। ପରଦିନ ବୋର୍ଡ ବୈଠକ ନିୟମିତ କରାଯିବା ସହ ଖାଲି ରହିଥିବା ସେଲ୍ସମ୍ୟାନ ପଦବୀ ପୂରଣ କରାଯିବା ପାଇଁ ପ୍ରତିଶୃତି ମିଳିବା ପରେ ଅନଶନ ଭଙ୍ଗ ହୋଇଥିଲେ ମଧ୍ୟ ଆଜି ସୁଦ୍ଧା ନା ବୋର୍ଡ ବୈଠକ ବସିଛି ନା ଖାଲି ପଦବୀ ପୁରଣ ହୋଇପାରିଛି। ତାକୁ ନେଇ ପୁଣି ଅସନ୍ତୋଷ ତେଜିବା ସହ ବୋର୍ଡ ସଦସ୍ୟମାନେ ପୁଣି ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ବୋର୍ଡ ସଦସ୍ୟ ଚକ୍ରଧର ମଲିକ, ସାଧୁ ନାୟକ, ପଠାଣ ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି। ସେହିପରି ଏନେଇ ସମିତିର ଅଧ୍ୟକ୍ଷ ଲିଲିମା ପ୍ରଧାନ ସମିତିର ପରିଚାଳିକା ବିଷ୍ଣୁପ୍ରିୟା ପ୍ରଧାନଙ୍କୁ ୭ ଦିନ ମଧ୍ୟରେ ଜବାବ ଦେବାକୁ ଚିଠି ଲେଖିଛନ୍ତି।

Leave A Reply

Your email address will not be published.