କନ୍ଧମାଳ ଜିଏନ୍ଏମ୍ କଲେଜରେ ଆନ୍ତର୍ଜାତୀୟ ସେବିକା ଦିବସ ଓ ବାର୍ଷିକ ଉତ୍ସବ ପାଳିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ଗୁଡ୍ରିସାହି ସ୍ଥିତ କନ୍ଧମାଳ ଜିଏନ୍ଏମ୍ କଲେଜରେ ଆନ୍ତର୍ଜାତୀୟ ସେବିକା ଦିବସ ଓ ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟକ୍ରମ ର ଉଦଘାଟକ ଭାବେ ଫୁଲବାଣୀ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଗଦାଧର ପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ଗ୍ରହଣ କରୁଥିବା ପ୍ରଶିକ୍ଷଣ କୁ କେବଳ ଏକ ପେଷା ଭାବରେ ଗ୍ରହଣ ନ କରି ସେବା ମନବୃତ୍ତି ସମ୍ପର୍ଣ୍ଣ ହୋଇ ନିଜ କାର୍ଯ୍ୟ କଲେ ଅସହାୟ ରୋଗୀଙ୍କୁ ସଠିକ୍ ସେବା ଯୋଗାଇ ପାରିବେ କାରଣ ଇଶ୍ୱର ସମାଜରେ ଅଳ୍ପ କିଛି ଲୋକଙ୍କୁ ହିଁ ସେବା କରିବା ପାଇଁ ପ୍ରେରିତ କରି ଥାଆନ୍ତି ବୋଲି କହିଥିଲେ। କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପରିଷଦର ମୁଖ୍ଯ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଶ୍ରୀ ଶମ୍ଭୁନାଥ ନନ୍ଦୀ ଯୋଗ ଦେଇ ସେବିକା ମାନେ ସେମାନଙ୍କ ମିଷ୍ଟଭାଷିତା ତଥା ସେବା ମନୋଭାବ ରେ ଅସହାୟ ରୋଗୀଙ୍କ ସେବା କଲେ ଜୀବନରେ ସଫଳତା ହାସଲ କରି ପାରିବେ ବୋଲି କହିଥିଲେ। ଅନ୍ୟତମ ଅତିଥିଭାବେ ଫୁଲବାଣୀ ମେଡିକାଲ କଲେଜ ର ଡିନ୍ ତଥା ଅଧ୍ୟକ୍ଷ ଶ୍ରୀ ନରେଶ ଚନ୍ଦ୍ର ବେହେରା, ଯୋଗ ଦେଇ ବିଏସସି ନର୍ସିଂ ତାଲିମ ଏପରି ଏକ ପ୍ରଶିକ୍ଷଣ ଯାହାର ପାଠ ପଢା ଶେଷ ହେଉ ହେଉ ଚାକିରି ରେ ନିଯୁକ୍ତ ମିଳି ପାରୁଛି। ତେଣୁ ଏହାର ଛାତ୍ର ଛାତ୍ରୀ ମାନେ ସଠିକ୍ ଭାବେ ଶିକ୍ଷା ଗ୍ରହଣ କଲେ ଜୀବନରେ ସଫଳତା ହାସଲ ସମ୍ଭବ ହେବ ବୋଲି କହିଥିଲେ ।ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଜିତ କୁମାର ଦାସ ଯୋଗ ଦେଇ ଗତ ୧୫ ବର୍ଷ ପୁର୍ବେ ଫୁଲବାଣୀ ରେ ଆରମ୍ଭ ହୋଇଥିବା କନ୍ଧମାଳ ଜିଏନ୍ଏମ୍ କଲେଜ ପ୍ରଥମେ ଅତି କମ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ଆଜି ସୁଦ୍ଧା ଅନେକ ଛାତ୍ରଛାତ୍ରୀଙ୍କୁ ତାଲିମ ଦେଇ ରୋଜଗାରକ୍ଷମ କରିବା ରେ ସଫଳତା ହାସଲ କରିଛି। ଏହି ଅବସରରେ ଅନୁଷ୍ଠାନ ଓ ଏହାର କର୍ମଚାରୀଙ୍କୁ ଅନେକ ଉତଥାନ ଓ ପତନର ସମ୍ମୁଖୀନ ହେବାକୁ ପଡିଛି । ସେତେବେଳେ ସମଗ୍ର ଜିଲ୍ଲାରେ ଏକମାତ୍ର ଜିଏନ୍ଏମ୍ କଲେଜ ଥିଲା ଆଜି ଅନେକ ନୁଆ ଅନୁଷ୍ଠାନ ଖୋଲିଲାଣି। ହେଲେ ଆମ ଅନୁଷ୍ଠାନର ଲୋକପ୍ରିୟତା ବଜାୟ ରହିଛି ବୋଲି କହିଥିଲେ। ଏହି ଅବସରରେ ସେଣ୍ଟ ଜନ୍ନ୍ଧ ଆମ୍ବୁଲାନ୍ସ ର କନ୍ଧମାଳ ଜିଲ୍ଲା ସହସମ୍ପାଦକ ତଥା ବିଶିଷ୍ଟ ରକ୍ତଦାତା ପ୍ରଶାନ୍ତ କୁମାର ବେହେରା, ନିଜର ରକ୍ତଦାନ ଓ ସମାଜ ସେବାର ୪୦ ବର୍ଷ ର ଅନୁଭୁତି ର କିଛି ଉଦାହରଣ ଦେଇ ରେଡକ୍ରସ୍ ର ପ୍ରତିଷ୍ଠାତା ଜୋହନ ହେନେରୀ ଡୁନାଣ୍ଟ,ଫ୍ଲୋରେନ୍ସ ନାଇଟିଙ୍ଗିଲଙ୍କ ପରି ଅସହାୟ ରୋଗୀଙ୍କ ସେବା କରିବା ଆବଶ୍ୟକ ବୋଲି କହିଥିଲେ। ଖଜୁରୀପଡା ବ୍ଲକ ର ବିଧାୟକ ପ୍ରତିନିଧି ଶ୍ରୀ ଅନନ୍ତ ଦିଗାଲ, କନ୍ଧମାଳ ଜିଲ୍ଲା ପରିଷଦ ୪ନମ୍ବର ଜୋନ ସଦସ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ, ପିରିକୁଡି ପଞ୍ଚାୟତ ର ସରପଞ୍ଚ ଶ୍ରୀ ଉମାକାନ୍ତ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଅଧ୍ୟକ୍ଷା ଶୁଭଶ୍ରୀ ପାତ୍ର ଅଧ୍ଯକ୍ଷତା କରିଥିବାବେଳେ । କାର୍ୟ୍ୟକ୍ରମ କୁ ଅନୁଷ୍ଠାନ ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ମିଶ୍ର ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ବିଭିନ୍ନ ପ୍ରତିଯୋଗିତାର କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Leave A Reply

Your email address will not be published.