ଭୋଜି ଖାଇବା ପୂର୍ବରୁ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

ବାଲିଗୁଡା: ଜଙ୍ଗଲ ଭିତରେ ଓଲଟି ପଡିଛି ବାଇକ୍ । ଆଖପାଖରେ ଜମିଛି ଲୋକଙ୍କ ଗହଳି । ଏହି ଦୃଶ୍ୟ ହିଁ ବୟାନ କରୁଛି ଏଠାରେ ଭୟାନକ ସଡ଼କ ଦୁର୍ଘଟଣା ଘଟିଛି । ଆଉ ଏହି ବାଇକ୍ କୁ ଦେଖି ଆପଣ ଅନୁମାନ କରିପାରୁଥିବେ ଏଥିରେ ଯାଉଥିବା ଲୋକର କ’ଣ ଅବସ୍ଥା ହୋଇଥିବ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା କଣ ଜାଣିବା । ଭୋଜି ଖାଇବା ପାଇଁ ୩ ଜଣ ସାଙ୍ଗ ଗୋଟିଏ ବାଇକରେ ଯାଉଥିଲେ । ୩ ଜଣ ଭାରି ସାଙ୍ଗ । ସାଥୀ ହୋଇ ବସୁଥିଲେ, ବୁଲୁଥିଲେ ଆଉ ସୁଖରେ ଦୁଃଖରେ ପରସ୍ପର ପାଇଁ ସାହାସ ହୋଇ ଠିଆ ହେଉଥିଲେ । କିନ୍ତୁ ଶେଷକୁ ଏୟା ଲେଖିଥିଲା ଦଇବ । ଭୋଜି ଖାଇବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଘଟିଥିଲା ଭୟଙ୍କର ଦୁର୍ଘଟଣା । ଆଉ ଚାଲିଗଲା ୨ ସାଙ୍ଗଙ୍କ ଜୀବନ ଏପଟେ ଅନ୍ୟ ଜଣେ ଗୁରୁତର । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ବାଲିଗୁଡାରୁ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର ବେଳେ ଫିରିଙ୍ଗିଆ ନିକଟରେ ମୃତ୍ୟୁବରଣ କରିଥିଲେ । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ବାଲିଗୁଡା ଥାନା 59 ନମ୍ବର ଜାତୀୟ ରାଜପଥର ସୀତାପଡି ନିକଟରେ ରାସ୍ତା କଡକୁ ଖସି ଗଛରେ ପିଟି ହୋଇ ଘଟିଥିଲା ବାଇକ ଦୁର୍ଘଟଣା । ତିନି ସାଙ୍ଗ ମିଶି ବାଟାଗୁଡାରୁ ବିନ୍ଦୁ ପଦର ଗାଁକୁ ଭୋଜି ଖାଇବାକୁ ଯାଉଥିବା ସମୟରେ ସୀତାପଡି ନିକଟରେ ଦୁର୍ଘଟଣା ଘଟିଥିଲା । ମୃତ ଦୁଇ ସାଙ୍ଗ ହେଲେ ବାଲିଗୁଡା ଥାନା ବାଟାଗୁଡା ପଞ୍ଚାୟତର ଦୂକଲାମିଲା ଗାଁର ଫ୍ରାଞ୍ଚଚିସ ମଲ୍ଲିକ ଓ ଅଜୁ ମଲ୍ଲିକ । ଅନ୍ୟ ଜଣେ ସାଙ୍ଗ ବାଲିଗୁଡା ମେଡିକାଲରେ ଚିକିତ୍ସା ପାଇଁ ଭର୍ତି ହୋଇଛନ୍ତି । ଅପରପକ୍ଷରେ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ସବୁଦିନ ପାଇଁ ବାପା ମା ଓ ପରିବାରବର୍ଗ ସମସ୍ତଙ୍କୁ ଛାଡି ଚାଲିଗଲେ ଦୁଇ ସାଙ୍ଗ ଏପଟେ ଅନ୍ୟଜଣେ ସାଙ୍ଗ ହସ୍ପିଟାଲରେ । ଏଭଳି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବନ୍ଧୁର ବନ୍ଧୁତା ଏତେ ଗଭୀର ଥିଲା ଯେ ସାଥି ହୋଇ ଚାଲିଗଲେ ଅଫେରା ରାଇଜକୁ । ମଲା ପରେ ବି ଛିଡିଲାନି ବନ୍ଧୁତାର ଡୋରି । ଏକାଠି ଗୋଟିଏ ସମୟରେ ଚାଲିଗଲେ ଏ ଦୁନିଆକୁ ପର କରି । ଏବେ ଏକାଠି ଜଳିବ ଦୁଇ ସାଙ୍ଗଙ୍କ ଜୁଇ । କେହି ବି ସହଜରେ ବିଶ୍ୱାସ କରିପାରୁନାହାନ୍ତି ଯେ ଏବେ ଆରପାରିରେ ଦୁଇ ବନ୍ଧୁ । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ସମସ୍ତଙ୍କୁ ଛାଡି ଆରପାରିକୁ ଏମିତି ଅକସ୍ମାତ୍‌ ଚାଲିଯିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ତେବେ ଏଭଳି ଦୃଶ୍ୟ ଯେବେ ବି ଆମ ସାମ୍ନାକୁ ଆସେ ଆମେ ଆପଣଙ୍କୁ ଅନୁରୋଧ କରୁ ଟିକେ ସାବଧାନ ରୁହନ୍ତୁ ଯୁବଗୋଷ୍ଠୀ । ଗାଡି ଚଳାଇବା ସମୟରେ ଟିକେ ଧୀରେ ଗାଡି ଚଳାନ୍ତୁ । ପ୍ରତିଦିନ ଏହି ଦୁର୍ଘଟଣା ପାଇଁ ଯାଉଛି ଅନେକ ଅମୂଲ୍ୟ ଜୀବନ । ତେଣୁ ନିଜେ ସତର୍କ ରୁହନ୍ତୁ ଏବଂ ନିଜ ଜୀବନକୁ ସୁରକ୍ଷିତ ରଖନ୍ତୁ ।

057 code kasam

057 code kasam
Leave A Reply

Your email address will not be published.