
ପୁରୀ: ସ୍ପାଏ ୟୁ ଟ୍ୟୁବର ଜ୍ୟୋତିଙ୍କ ଲିଙ୍କରେ ବଢୁଛି ପୁରୀର ପ୍ରିୟଙ୍କା ସେନାପତିଙ୍କ ଅଡୁଆ । ପଦାକୁ ଆସୁଛି ନୂଆ ନୂଆ ତଥ୍ୟ। ପ୍ରିୟଙ୍କା ସେନାପତିଙ୍କ ସହ ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କ ଘଟଣାରେ ପଞ୍ଚମ ଦିନରେ ତଦନ୍ତ ଜାରି । ଘଟଣାର ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି । ବିଶେଷ କରି ପ୍ରିୟଙ୍କାଙ୍କ ବାପା ତେଜରାତି ଦୋକାନରୁ ଏବେ କିଭଳି ୪- ୫ଟି ହୋଟେଲ ପରିଚାଳନା କରୁଛନ୍ତି,ତାଙ୍କର କେତୋଟି ବ୍ୟାଙ୍କ୍ ଆକାଉଣ୍ଟ ରହିଛି,ଆୟର ସୂତ୍ର କଣ ,ବାହାରୁ କେଉଁଠୁ ଟଙ୍କା ଆସିଛି କି ନାହିଁ ? ସେ ସବୁ ଦିଗକୁ ନେଇ ତଦନ୍ତ ଚାଲିଛି ।

ସେହିପରି ଗତ ବର୍ଷ ସେପ୍ଟେମ୍ବର ୨୧ ତାରିଖରେ ଜ୍ୟୋତି ମାଲହୋତ୍ରା ପୁରୀ ଆସିଥିବା ବେଳେ ପ୍ରିୟଙ୍କାଙ୍କ ସହ କେଉଁ କେଉଁ ସ୍ଥାନକୁ ଯାଇଥିଲେ,କଣ ସବୁ କରିଥିଲେ ସେ ଦିଗରେ ମଧ୍ୟ ଖୋଳତାଡ଼ କରୁଛି ପୋଲିସ। ପ୍ରିୟଙ୍କା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରୁ କେଉଁ କେଉଁ ପୋଷ୍ଟ ଡିଲିଟ କରିଛନ୍ତି ,କେଉଁ ପରିସ୍ଥିତିରେ ଓ କଣ ପାଇଁ ଡିଲିଟ କଲେ ତାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉଥିବା ଏସପି କହିଛନ୍ତି । ତଦନ୍ତରେ ପ୍ରିୟଙ୍କା ଓ ତାଙ୍କ ପରିବାର ସହଯୋଗ କରୁଛନ୍ତି।

ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନ୍ଆଇଏ,ରାଜ୍ୟ ଗୁଇନ୍ଦା ବିଭାଗ ଓ ହରିୟାଣା ହିସାର ପୋଲିସକୁ ସବୁ ପ୍ରକାର ସହଯୋଗ କରୁଛି ଜିଲ୍ଲା ପୋଲିସ ପ୍ରଶାସନ । ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟରେ କଣ କଣ ପୋଷ୍ଟ କରିଥିଲେ କଣ କଣ ଡିଲେଟ୍ କରିଛନ୍ତି ,ତାଙ୍କର କଲ୍ ଡିଟେଲ ରେକର୍ଡ,ବ୍ୟାଙ୍କ୍ ଆକାଉଣ୍ଟ ସବୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି ବୋଲି ପୁରୀ ଏସପି କହିଛନ୍ତି ।
