‘ଅପରେଶନ ସିନ୍ଦୂର’ରେ ଭାରତୀୟ ସେନାର ସଫଳତା ନେଇ ଦାରିଙ୍ଗବାଡ଼ିବାସୀ ଦେଖାଇଲେ ଦେଶପ୍ରେମ

ଦାରିଙ୍ଗବାଡ଼ି : ପହଲଗାମରେ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟାର ପ୍ରତିବାଦରେ ଭାରତ ଏହାର ଜବାବ ପାକିସ୍ଥାନକୁ ତା’ରି ଭାଷାରେ ଦେଇଥିଲା। ଏଥିରେ ପାକିସ୍ଥାନର ଆତଙ୍କୀ ଶିବିର ସହ ଏୟାରବେସ୍‌ ଓ ଅନେକ କିଛି କ୍ଷତି ହୋଇଥିଲା। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ଥାନ ଉପରେ ଦୃଢ଼ ପଦକ୍ଷେପ ନେବା ପାଇଁ ଦେଶର ୩ ପ୍ରତିରକ୍ଷା ବିଭାଗକୁ ପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଥିଲେ ଓ ଏଥିରେ ଅପରେଶନ ସିନ୍ଦୂର ନାମ ଦିଆଯାଇଥିଲା ଓ ଭାରତ ପକ୍ଷରୁ ପାକିସ୍ଥାନକୁ ଉଚିତ ଜବାବ ଦିଆଯାଇଥିଲା ଏବଂ ଭାରତୀୟ ସେନାକୁ ବଡ଼ ସଫଳତା ମିଳିଥିଲା। ଏବେ ବୀର ଯବାନମାନଙ୍କୁ ସମ୍ମାନ ଦିଆଯିବା ସହ ଭାରତର ଏହି ସଫଳତାକୁ ନେଇ ତ୍ରିରଙ୍ଗା ଯାତ୍ରା ଚାରିଆଡ଼େ ଅନୁଷ୍ଠିତ ହେଉଥିବା ବେଳେ ଦାରିଙ୍ଗବାଡ଼ିରେ ମଧ୍ୟ ଗୁରୁବାର ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହୋଇଥିଲା। ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟରୁ ଏହି ଶୋଭାଯାତ୍ରା ବାହାରି ଚାରି ଛକ, ବଜାର, ତିନିଛକ, ଲକ୍ଷ୍ମୀବଜାର, ଶିବମନ୍ଦିର, ବସ୍‌ଷ୍ଟାଣ୍ଡ ହୋଇ ପୁଣି ବ୍ଲକ କାର୍ଯ୍ୟାଳୟକୁ ଫେରିଥିଲା। ଅପରେଶନ ସିନ୍ଦୂରର ସଫଳତାକୁ ନେଇ ଏହି ତ୍ରିରଙ୍ଗା ଶୋଭାଯାତ୍ରା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ସେନାର ସାହସ ଓ ପରାକ୍ରମକୁ ସମ୍ମାନ ଜଣାଇବା ଓ ଉତ୍ସାହିତ କରିବା ସକାଶେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସରକାରୀ କର୍ମଚାରୀ, ପୋଲିସ ପ୍ରଶାସନ, ବନ ବିଭାଗ, ଅଙ୍ଗନାଓ୍ବାଡି କର୍ମୀ, ବ୍ଲକ ପ୍ରଶାସନ, ଅଞ୍ଚଳବାସୀ ଏବଂ ରାଷ୍ଟ୍ରୀୟ ସୁରକ୍ଷା ନାଗରିକ ମଞ୍ଚ୍‌ର ସଦସ୍ୟ ମାନେ ଯୋଗଦେଇଥିଲେ।

Leave A Reply

Your email address will not be published.