
ତାମିଲନାଡ଼ୁ : ମାତୃତ୍ୱ ଛୁଟିକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି । ତାମିଲନାଡ଼ୁର ଦାୟର କରାଯାଇଥିବା ଏକ ଆବେଦନରେ ଶୁଣାଣି କରି ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ। କୌଣସି ସଂସ୍ଥା ମାତୃତ୍ୱ ଛୁଟି ଅଧିକାରକୁ କୌଣସି ମହିଳାଙ୍କୁ ମନା କରିପାରିବ ନାହିଁ । ମାତୃତ୍ୱ ଛୁଟି ପ୍ରତ୍ୟେକ ମହିଳାମାନଙ୍କ ଅଧିକାର ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଶୁକ୍ରବାର ସୁପ୍ରିମକୋର୍ଟ କହିଛନ୍ତି ଯେ, ମାତୃତ୍ୱ ଛୁଟି ମହିଳାମାନଙ୍କ ପ୍ରଜନନ ଅଧିକାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ତାମିଲନାଡ଼ୁର ଜଣେ ମହିଳା ସରକାରୀ ଶିକ୍ଷକଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି । ଏହି ମାମଲାରେ ଜଷ୍ଟିସ ଅଭୟ ଏସ ଓକ ଏବଂ ଜଷ୍ଟିସ ଉଜ୍ଜଲ ଭୁୟାଁଙ୍କ ପୀଠ ଆଦେଶ ପାରିତ କରିଛନ୍ତି । ଏହି ମହିଳାଙ୍କୁ ତାଙ୍କ ଦ୍ୱିତୀୟ ବିବାହରୁ ଜନ୍ମିତ ସନ୍ତାନ ପାଇଁ ମାତୃତ୍ୱ ଛୁଟିକୁ ଅସ୍ୱୀକାର କରାଯାଇଥିଲା । ଯାହାକୁ ମନା କରିଦେଇଥିଲା ଅଫିସ । ଏହାକୁ ନେଇ ମହିଳା ଜଣକ ଆବେଦନରେ କହିଥିଲେ କି, ତାଙ୍କର ପ୍ରଥମ ବିବାହରୁ ଦୁଇଟି ସନ୍ତାନ ଥିବା କାରଣରୁ ଏବେ ତାଙ୍କୁ ମାତୃତ୍ୱ ଛୁଟି ଦିଆଯାଇନଥିଲା । ହେଲେ ମହିଳା ଜଣକଙ୍କ ତାଙ୍କ ପ୍ରଥମ ବିବାହରୁ ଜନ୍ମିତ ଦୁଇ ସନ୍ତାନ ପାଇଁ କୌଣସି ମାତୃତ୍ୱ ଛୁଟି କିମ୍ବା ସୁବିଧା ଗ୍ରହଣ କରିନଥିଲେ । ସେ ଦ୍ୱିତୀୟ ବିବାହ ପରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ । ଆଉ ଦ୍ବିତୀୟ ବିବାହ ପରେ ଗର୍ଭବତୀ ହୋଇଥିଲେ । ଏଥିପାଇଁ ମାତୃତ୍ୱ ଛୁଟି ପାଇଁ ଆବେଦନ କରିଥିଲେ । ଆବେଦନକାରୀଙ୍କ ପକ୍ଷରୁ ଓକିଲ କେଭି ମୁଥୁକୁମାର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ମହିଳାଙ୍କ ମୌଳିକ ଅଧିକାରର ଉଲ୍ଲଙ୍ଘନ କରିଛି, କାରଣ ସେ ପୂର୍ବରୁ ତାମିଲନାଡ଼ୁର ମାତୃତ୍ୱ ସୁବିଧା ନିୟମାବଳୀର କୌଣସି ଲାଭ ଉଠାଇନଥିଲେ । ସୂଚନାଯୋଗ୍ୟ, ତାମିଲନାଡ଼ୁରେ ଏକ ନିୟମ ରହିଛି ଯେ, ମାତୃତ୍ୱ ସୁବିଧା କେବଳ ପ୍ରଥମ ଦୁଇଟି ସନ୍ତାନ ପାଇଁ ହିଁ ପ୍ରଦାନ କରାଯିବ। ସୁପ୍ରିମକୋର୍ଟ ୨୦୧୭ରେ ମାତୃତ୍ୱ ଲାଭ ଅଧିନିୟମ ସଂଶୋଧନ କରି ୧୨ ସପ୍ତାହର ଛୁଟିକୁ ବଢାଇ ୨୬ ସପ୍ତାହ କରିଥିଲେ । ସମସ୍ତ ମହିଳା କର୍ମଚାରୀଙ୍କୁ ଦୁଇଟି ଛୁଆ ପାଇଁ ମାତୃତ୍ୱ ଛୁଟି ମିଳିବ । ସେହିପରି ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମହିଳାମାନେ ମଧ୍ୟ ୧୨ ସପ୍ତାହର ମାତୃତ୍ୱ ଛୁଟ ନେଇପାରିବେ ।
