
ଯାଜପୁର ଟାଉନ: ଏମିତି କଣ ହୋଇପାରେ ? ସ୍ୱାମୀ ସ୍ତ୍ରୀ ଭିତରେ ବିବାଦ ହେଲା ଆଉ ସେମାନେ ଅଲଗା ରହିଲେ । ତା ଭିତରେ କୁଆଡ଼େ ସ୍ତ୍ରୀ ପୁଅକୁ ବିକି ଦଇେଛି । ନିଜ ଜନ୍ମ କଲା ପୁଅକୁ ବିକି ଦେଇଛି ମାଆ । ସ୍ତ୍ରୀ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି ଜଣେ ସ୍ୱାମୀ । ଯାଜପୁର ବ୍ଲକ ବଡ ସୁଆର ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ପ୍ରାୟ ଚାରି ବର୍ଷ ତଳେ ଉଭୟ ପତି ପତ୍ନୀ ଅଲଗା ହେବା ପରେ ଏଭଳି କାଣ୍ଡ ଘଟିଥିବା ଜଣାପଡ଼ିଛି । ଏହାପରେ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ।
ଯାଜପୁର ବଡ଼ ସୁଆର ଗାଁର ପ୍ରଶାନ୍ତ ପରିଡ଼ା ନିଜ ପତ୍ନୀ ପୂଜାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ଚାରି ବର୍ଷ ତଳେ ଉଭୟଙ୍କ ମଧ୍ୟରେ ବିବାଦ ଯୋଗୁଁ ସେମାନେ ଅଲଗା ହୋଇ ଯାଇଥିଲେ । ଯାହା ପରେ ପୂଜା ସେତେବେଳେ ତିନି ବର୍ଷର ପୁଅକୁ ଧରି ଅଲଗା ରହୁଥିଲେ । ତେବେ ଏହାଭିତରେ ସମୟ ଗଡ଼ି ଚାଲିଲା ଓ ପୁଅକୁ ୭ ବର୍ଷର ହୋଇଥିବା ବେଳେ ତାକୁ କୁଆଡ଼େ ମାଆ ପୂଜା ୧୮ ହଜାର ଟଙ୍କାରେ ବିକ୍ରି କରିଦେଇଛି ।


ପୂଜାଙ୍କ ସ୍ବାମୀ ତଥା ପିଲାର ବାପା ପ୍ରଶାନ୍ତ ଏବଂ ତାଙ୍କ ପରିବାର ଲୋକ ଏ ନେଇ ଅଭିଯୋଗ କରି ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଘଟଣା ଜଣାପଡିବା ପରେ ମା ପୂଜା ମଧ୍ୟ ସ୍ୱୀକାର କରିଛନ୍ତି କି ପିଲାକୁ ବିକି ଦେଇଛନ୍ତି । ତେବେ ବର୍ତ୍ତମାନ ଆଉ ସେ ପିଲାର କୌଣସି ପତ୍ତା ମିଳି ପାରି ନାହିଁ । ପ୍ରଶାନ୍ତଙ୍କ ପରିବାର ଲୋକେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପିଲାଟିର କୌଣସି ସୁରାକ ମିଳି ପାରି ନାହିଁ । ଘଟଣା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏବେ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ ।
ଅତିରିକ୍ତ ଜିଲ୍ଲାପାଳ ଏହାର ତଦନ୍ତ କରିବା ସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଶିଶୁ ମଙ୍ଗଳ ସମିତିକୁ ନିର୍ଦ୍ଦେଶ ଦେଇଛନ୍ତି । ପାରିବାରିକ ବିବାଦ ଓ ଅଭାବ ଅନଟନ ଯୋଗୁଁ ଏଭଳି ପିଲା ବିକ୍ରି ହୋଇଥିବା କୁହାଯାଉଛି । ତେବେ ନିଖୋଜ ପିଲାକୁ ଉଦ୍ଧାର କରିବା ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି । କାରଣ ନିଜେ ମାଆ ପୂଜା ବି ଜାଣେନି ପିଲାଟି ଏବେ କେଉଁଠି ଅଛି ।
