ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ 3ନଂ ୱାର୍ଡ ମନ୍ଦାରୀ ଗ୍ରାମରେ ଲଘୁଚାପ ଜନିତ ବର୍ଷାରେ କାନ୍ଥ ପଡି ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ହେଲେ ସେହି ଗ୍ରାମର ଅମରେନ୍ଦ୍ର ମହାନ୍ତିଙ୍କ 35 ବର୍ଷୀୟ ସ୍ତ୍ରୀ ବିଷ୍ନୁପ୍ରିୟା ମହାନ୍ତି ବୋଲି ଜଣାପଡିଛି । ଆଜି ଦିନସାରା ଲଘୁଚାପ କାରଣରୁ ପ୍ରବଳ ମାତ୍ରାରେ ବର୍ଷା ଲାଗି ରହିଥିଲା । ଆଜି ମଧ୍ୟାହ୍ନରେ ବିଷ୍ନୁପ୍ରିୟା ଖାଇସାରି ବାହାରକୁ ହାତ ଧୋଉଥିବା ସମୟରେ ଘର ଆଗରେ ଥିବା ନିଜର ପୁରୁଣା ଘରର କାନ୍ଥ ତାଙ୍କ ଉପରେ ପଡିଯାଇଥିଲା। ଫଳରେ ସେ ମାଟି ଭିତରେ ଚାପି ହୋଇ ରହିଯାଇଥିଲା। ପାଖ ଘର ଲୋକ ଦେଖି ପରିବାର ଲୋକଙ୍କୁ ଡାକ ପକାଇବା ସହିତ ମାଟି ମଧ୍ୟରୁ ବିଷ୍ନୁପ୍ରିୟଙ୍କୁ ବାହାର କରି ଗୁରୁତର ଅବସ୍ଥାରେ ନିକଟସ୍ତ ବାସୁଦେବପୁର ଡାକ୍ତରଖାନାକୁ ନେଇ ଯାଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇଁ ସ୍ଥାନୀୟ ତହସିଲଦାର ଓ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ସହିତ ସରକାରଙ୍କ ପକ୍ଷରୁ ଯାହା ସହାୟତା ରାଶି ମିଳିବ ତାହା ଯୋଗାଇ ଦେବେ ବୋଲି କହିଛନ୍ତି।
