୨୦୦ ଘଣ୍ଟା ଉଡ଼ାଣ ପୂରଣ କରି କମର୍ସିଆଲ୍‌ ପାଇଲଟ୍‌ ହେଲେ ନରସିଂହପୁର ଝିଅ ସୋନାଲିକା

ନରସିଂହପୁର: ସ୍ୱପ୍ନରେ ଲାଗିଲା ଡେଣା । କମର୍ସିଆଲ୍ ପାଇଲଟ୍ ହେଲେ ଓଡ଼ିଶା ଝିଅ ସୋନାଲିକା । ବର୍ତ୍ତମାନ ସେ ଅଫିସିଆଲି ବ୍ୟକ୍ତିଗତ ପ୍ଲେନ୍ ଉଡାଇପାରିବେ । ଡିଜିସିଏ ଦ୍ୱାରା ଗଠିତ ସମସ୍ତ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇ ୨୦୦ ଘଣ୍ଟା ଉଡ଼ାଣ ପୂରଣ କରି ନରସିଂହପୁରର ଝିଅ ସୋନାଲିକା ମିଶ୍ର କମର୍ସିଆଲ୍ ପାଇଲଟ୍ ଲାଇସେନ୍ସ (ସିପିଏଲ୍) ହାସଲ କରିଛନ୍ତି । ଆମ ରାଜ୍ୟରେ ପୁଅଙ୍କ ତୁଳନାରେ ଝିଅମାନେ ଅପେକ୍ଷାକୃତ କମ୍ ସଂଖ୍ୟାରେ ସିପିଏଲ୍ ପାଇଛନ୍ତି । ଏଭଳି ସ୍ଥିତିରେ ସୋନାଲିକା ସିପିଏଲ୍ ପାଇ ନରସିଂହପୁର ତଥା ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି । ସୋନାଲିକା ହେଉଛନ୍ତି ନରସିଂହପୁର ବାର୍ ଆସୋସିସନ୍ ସଭାପତି ନିର୍ମଳେନ୍ଦୁ ମିଶ୍ର ଓ ଦେବଯାନୀ ମିଶ୍ରଙ୍କ ଝିଅ ଏବଂ ନରସିଂହପୁର ବାର୍ ଆସୋସିଏନ୍ର ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ଭଗିରଥୀ ମିଶ୍ର ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ବିନୋଦିନୀ ମିଶ୍ରଙ୍କ ନାତୁଣୀ । ଏହି ସଫଳତା ପରେ ସୋନାଲିକା ତାଙ୍କ ବାପା-ମାଆ ଓ ସ୍ୱର୍ଗତ ଜେଜେ-ଜେଜେମାଙ୍କ ପ୍ରତି ଗଭୀର ସମ୍ମାନ ବ୍ୟକ୍ତ କରିଛନ୍ତି । ସେ ନରସିଂହପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରୁ ଦଶମ ଶ୍ରେଣୀ ପାସ କରି କିଟ୍ ବିଶ୍ୱବିଦ୍ୟାଳୟରେ ଯୁକ୍ତ ଦୁଇ କରିଥିଲେ । ପରେ ଉତ୍କଳ ଏରୋସ୍ପେସ୍ ଇଞ୍ଜିନିୟରିଂ କଲେଜ ଭୁବନେଶ୍ୱରରେ ଏୟାର୍କ୍ରାଫ୍ଟ ମେଣ୍ଟେନାନ୍ସ ଇଞ୍ଜିନିୟରିଂ ପଢ଼ିଥିଲେ । କୋଲକାତା ଏୟାର୍ ଇଣ୍ଡିଆରେ ୬ମାସ ଅନ୍-ଜବ୍ ଟ୍ରେନିଂ କରିଛନ୍ତି । ସେ କମର୍ସିଆଲ୍ ପାଇଲଟ୍ ଲାଇସେନ୍ସ ପାଇଁ ଆବଶ୍ୟକ ସମସ୍ତ ପରୀକ୍ଷା ପାସ୍ କରି ତାଙ୍କ ଉଡ଼ାଣ ଶିକ୍ଷା ରେଡବାର୍ଡ ଫ୍ଲାଇଂ ଟ୍ରେନିଂ ଏକାଡେମିରେ ସଫଳତାର ସହିତ ସମ୍ପୂର୍ଣ୍ଣ କରିଛନ୍ତି । ଏବେ ସୋନାଲିକା ଟ୍ରେନି ପାଇଲଟ୍ ଭାବେ ଏକ ବିମାନ କମ୍ପାନୀରେ ଫାଷ୍ଟ ଅଫିସର୍ ଅର୍ଥାତ କୋ-ପାଇଲଟ୍ ଭାବେ କାର୍ଯ୍ୟ କରିବେ ।

057 code kasam
Leave A Reply

Your email address will not be published.