ଉଦଳା : ଖାଇବା ବେଳେ ଅଣ୍ଡା ତରକାରୀ ନ ଦେବାରୁ ସ୍ତ୍ରୀକୁ ଚୁଲିଫୁଙ୍କାରେ ବାଡେଇ ମାରିଲା ସ୍ୱାମୀ । ଏଭଳି ଅଭାବନୀୟ ହତ୍ୟାକାଣ୍ଡ ଘଟିଛି ଉଦଳା ଥାନା କୁଟଲିଂ ବନ୍ଧସାହି ଗ୍ରାମରେ । ଗ୍ରାମର ଲମା ବାସ୍କେ ଆଜି ମଧ୍ୟାହ୍ନରେ କାମ ସାରି ଘରକୁ ଫେରିଥିଲେ ଏବଂ ଖାଇବାକୁ ବସିଥିଲେ । ଏହି ସମୟରେ ସ୍ତ୍ରୀ ବାସନ୍ତୀ ବାସ୍କେ ଭାତ ଏବଂ ତରକାରୀ ବାଢି ଦେଇଥିଲେ । ହେଲେ ଆଣି ଦେଇଥିବା ଅଣ୍ଡାର ତରକାରୀ କାହିଁ ବୋଲି ସ୍ୱାମୀ ମାଗିଥିଲେ । ସ୍ତ୍ରୀ ଖାଦ୍ୟରେ ଅଣ୍ଡା ତରକାରୀ ନ ଦେବାରୁ ଉତକ୍ଷିପ୍ତ ହୋଇ ଉଠିଥିଲେ ସ୍ୱାମୀ । ପ୍ରଥମେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ତା ପରେ ଘର ଦ୍ୱାର ସମ୍ମୁଖରେ ନିର୍ଘାତ ମାଡ଼ ମାରିବା ପରେ ଘର ଭିତରକୁ ଘୋଷାରି ନେଇ ସେଠାରେ ଚୁଲିଫୁଙ୍କାରେ ବାସନ୍ତୀର ମୁଣ୍ଡରେ ଆଘାତ କରିଥିଲା । ଯାହା ଫଳରେ ଘଟଣାସ୍ଥଳରେ ବାସନ୍ତୀର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ସ୍ୱାମୀ ଲମାକୁ ଗିରଫ କରିଛି ।
