ବଲାଙ୍ଗିର: କିଛି ମାସ ହେବ ବଲାଙ୍ଗିର ଜିଲ୍ଲାରେ ମାତିଥିଲେ ଲୁଟେରା । ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ଲୋକଙ୍କୁ ଟାର୍ଗେଟ କରି ଲୁଟ କରୁଥିଲେ । କେତେବେଳେ ବନ୍ଧୁକ ମୁନରେ ତ କେତେବେଳେ ମାରଣାସ୍ତ୍ର ଦେଖାଇ ଲୁଟି ନେଉଥିଲେ ଟଙ୍କା ପଇସା । ଗତ ଦୁଇ ତାରିଖରେ ପାଟଣାଗଡର ପର୍ଶୁରାମ ପସାଂରୀଙ୍କ ଠାରୁ ଲୁଟିଥିଲେ ୪ ଲକ୍ଷ ଟଙ୍କା । ଏହି ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । କୁହାଯାଏ ନା ଚୋର ଘର ସବୁବେଳେ ଅନ୍ଧାର ନୁହେଁ ଠିକ ସେହିଭଳି ଏବେ ଏହି ଚୋରଙ୍କୁ ଧରିଛି ପୋଲିସ ।
ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ଗଞ୍ଜାମ ଜିଲ୍ଲା ଆସିକାର ଡି.ରାହୁଲ, ଏମ. ଶ୍ରୀକାନ୍ତ, ପି.ଶିବା ଓ ଛତିଶଗଡର କରନ ନେତମ ବୋଲି ଜଣାପଡିଛି । ଏହି ଘଟଣାରେ ଆଉ କିଛି ରାଜ୍ୟ ବାହାରର ଲୁଟେରା ରହିଥିବା ମଧ୍ୟ ପୋଲିସ ସନ୍ଦେହ କରୁଛି । ଅନ୍ୟପଟେ ଗିରଫ ପରେ ଲୁଟେରାଙ୍କ ଠାରୁ ନଗଦ ୩ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯାଇଛି ।

ବଲାଙ୍ଗିର ଜିଲ୍ଲାରେ ଏହି ଲୁଟେରା ଗୋଷ୍ଠି ୧୯ଟି ଲୁଟ ମାମଲାରେ ସଂପୃକ୍ତ ଥିଲେ । ନିରୀହ ଲୋକଙ୍କୁ ଟାର୍ଗେଟ କରି ସେମାନଙ୍କ ଠୁ ଲକ୍ଷ ଲକ୍ଷ ଟଙ୍କା ଲୁଟିଛନ୍ତି ଏହି ଲୁଟେରା । ବଲାଙ୍ଗିର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଲୁଟର ଶିକାର ହୋଇଥିବା ଲୋକଙ୍କୁ କିଛି ଟଙ୍କା ଫେରାଇଛି ପୋଲିସ । ଏନେଇ ବଲାଙ୍ଗିର ପୋଲିସ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।