ଜଳେଶ୍ୱର : ଦିନେ ଯାହା ପାଇଁ କାନ୍ଦୁଥିଲେ ମାଆ, ଆଜି ତାଙ୍କ ପାଇଁ ଗର୍ବରେ ସେହି ମାଆର ହୃଦୟ କୁଣ୍ଢେମୋଟ । କଥାରେ ଅଛି ମନରେ ଦୃଢ ଇଚ୍ଛା ଶକ୍ତି ଥିଲେ ସଫଳତାର ଶୀର୍ଷରେ ପହଞ୍ଚିବାକୁ କେହି ବାଟ ଓଗାଳି ପରିବେ ନାହିଁ । ସବୁ ପ୍ରତିବନ୍ଧକ, ସବୁ ଅକ୍ଷମତାକୁ ପଛରେ ପକାଇ ଜଣେ କଠିନ ପରିଶ୍ରମ ବଳରେ ନିହାତୀ ସଫଳତା ପାଇପାରିବ । ଯାହାର ଉଦାହରଣ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ନଳବାହାର ଗ୍ରାମର ଦୃଷ୍ଟିବାଧିତ ଯୁବକ ଆଶିଷ କୁମାର ସାହୁ ।
ଆଶିଷ ଜନ୍ମରୁ ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ । କିନ୍ତୁ ଆଜି ସେ ଇଣ୍ଡିଆନ ବ୍ଲାଇଣ୍ଡ ଫୁଟବଲ ପ୍ରିମିୟର ଲିଗରେ ଖେଳିବା ପାଇଁ ହୋଇଛନ୍ତି ମନୋନିତ । ଯାହା ଖବର ମିଳିଛି, ଗୁଜୁରାଟର ଅହମ୍ମଦାବାଦରେ ଚଳିତ ମାସ ୧୭ତାରିଖରୁ ଇଣ୍ତିଆନ ବ୍ଲାଇଣ୍ତ ଫୁଟବଲ ଫେଡରେସନ ପକ୍ଷରୁ ଆୟୋଜିତ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ କେରଳର ଥ୍ରୀ ଟୁ ଓାନ ହିରୋଜ୍ ପକ୍ଷରୁ ଖେଳିବା ପାଇଁ ମନୋନୀତ ହୋଇଛନ୍ତି ଆଶିଷ । ଇଣ୍ଡିଆନ ବ୍ଲାଇଣ୍ଡ ଫୁଟବଲ ପ୍ରିମିୟର ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରି କେବଳ ବସ୍ତା ନୁହେଁ ସମଗ୍ର ଓଡିଶା ପାଇଁ ଆଣିଛନ୍ତି ଗୌରବ । ଆଶିଷ ଏହା ପୂର୍ବରୁ ଆସାମର ଗୌହାଟିରେ ଗତ ମେ ମାସ ୨୬ ରୁ ୨୮ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଉତ୍ତର ପୂର୍ବାଞ୍ଚଳ ଦୃଷ୍ଟିବାଧିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ଓଡିଶା ପାଇଁ କାଂସ୍ୟ ପଦକ ଜିତିଥିଲେ ।

ତେବେ ଆଶିଷ ଜଣେ ଗରିବ ଚାଷୀ ଘରର ପିଲା । ବାପା ହରିଶ୍ଚନ୍ଦ୍ର ସାହୁ ଚାଷ କରି ପରିବାର ପ୍ରତି ପୋଷଣ କରନ୍ତି । ଆଶିଷ ଜନ୍ମରୁ ଦୁଇଟି ଆଖି ହରାଇ ଥିବାରୁ ବାପା ତାଙ୍କୁ ନେଇ ବାଲେଶ୍ୱର ସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଦଶମ ପାସ୍ କରିବା ପରେ ୨୦୨୦ ମସିହାରେ ରେଭେନ୍ସାରେ ଯୁକ୍ତ ୨ ପାସ୍ କରିଥିଲେ । ସେ ଜଣେ ଜାତୀୟ ସ୍ତରୀୟ ଖେଳାଳି ହୋଇଥିଲେ ମଧ୍ୟ ଆର୍ଥିକ ଅଭାବରୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି । ଗତ ମାସ ଗୌହାଟୀ ଯିବା ସମୟରେ ଆର୍ଥିକ ସହାୟତା ପାଇଁ ନିବେଦନ କରି ନିରାଶ ହୋଇଥିଲେ । ଯଦି ତାଙ୍କୁ ସରକାରୀ ସ୍ତରରେ ଆର୍ଥିକ ସହାୟତା ମିଳି ପାରନ୍ତା ତାହାଲେ ସେ ପ୍ରଶିକ୍ଷଣ ନେଇ ଆହୁରି ଭଲ ଖେଳିବା ସହ ଓଡିଶା ପାଇଁ ଗୌରବ ଅର୍ଜନ କରି ପାରନ୍ତେ।
ସେ ସରଳ କିନ୍ତୁ କମଜୋର ନୁହେଁ । ନିଜ ଅକ୍ଷମତାକୁ ଶକ୍ତି କରି କିଛି କରିଦେଖାଇବାକୁ ସେ ଦୃଢ ପରିକର । ହେଲେ ଆର୍ଥିକ ଅନାଟନ ସାଜୁଛି ବାଧକ । ତଥାପି ଦୃଢ ଇଚ୍ଛା ଶକ୍ତି ପାଇଁ ସବୁ ପ୍ରତିବନ୍ଧକକୁ ପଛରେ ପକାଇ ନିଜ ଲକ୍ଷ ସ୍ଥଳରେ ପହଁଚିବାକୁ ଆଗେଇ ଚାଲିଛନ୍ତି । ଆଶିଷଙ୍କ ପରି ପ୍ରତିଭାପୂର୍ଣ୍ଣ ଯୁବକଙ୍କୁ ସରକାରୀ ସହାୟତା ମିଳିଲେ ସେ ନିହାତୀ ଆମ ରାଜ୍ୟ ପାଇଁ ସୁନାମ ଆଣିବେ ଏଥିରେ ଦ୍ଵନ୍ଦ ନାହିଁ ।