ଲମତାପୁଟ: ବୟସ ପ୍ରାୟ ୭୦ ଛୁଇଁଲାଣି । ଚମ ଧୁଡୁ ଧୁଡୁ ହେଲାଣି । ନା ଠିକ୍ ରେ କଥା କହିପାରୁଛନ୍ତି ନା ଚଲାବୁଲା କରିପାରୁଛନ୍ତି । ମୁଣ୍ଡ ଉପରେ ଧଳା ରଙ୍ଗର ଚୁଟି ଫର ଫର ହୋଇ ଉଡୁଛି । ସତେ ଯେପରି ଆହା ପଦେ କହିବାକୁ ନିଜର କେହି ନାହାନ୍ତି । ଆମେ କହୁଛୁ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଟିକରପଡ଼ା ପଞ୍ଚାୟତ ଅର୍ନା ଗାଁର ଯବୁନାଙ୍କ କଥା ।
ବର୍ଷା କାକରରେ ଗଛ ତଳେ ବାଉଁଶ ଖଣ୍ଡରେ କାନ୍ଥ କରି ସେଥିରେ ଦୁଇ ଖଣ୍ଡ ଆଜବେଷ୍ଟ ପକାଇ ରହି ଆସୁଛନ୍ତି ୭୦ ବର୍ଷୀୟା ବୃଦ୍ଧା ଯମୁନା ପାଙ୍ଗି । ଆଜକୁ ୧୫ ବର୍ଷ ହେଲାଣି ସ୍ବାମୀ ଧନିଆ ପାଙ୍ଗି ଯମୁନାଙ୍କୁ ଛାଡି ଆର ପାରିରୁ ଚାଲିଗଲେ । ଯମୁନାଙ୍କ ତିନି ଝିଅ ଥିଲେ ମଧ୍ୟ ଯିଏ ଯାହା ପରିବାରକୁ ନେଇ ବ୍ୟସ୍ତ ରେ ଅଛନ୍ତି । ବର୍ତ୍ତମାନ ଯମୁନା ଅନାଥ ଭଳି ଭଳି ଜୀବନ କାଟୁଛନ୍ତି,ନିଜ ସମ୍ପର୍କୀୟ ଦୟାକରି ଯିଏ ଯାହା ଦେଲେ ଖାଇ କି ଜୀବନ କାଟୁଛନ୍ତି । କେତେବେଳେ ମଧ୍ୟ କିଛି ବି ଅଘଟଣ ଘଟିପାରେ ।

ଗ୍ରାମାଞ୍ଚଳରେ ଗରିବ ଲୋକଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି । କିନ୍ତୁ ଏହି ଭିଜୁଆଲ ଦେଖିବା ପରେ ପ୍ରଶ୍ନ ଉଠୁଛି ? ଜଣେ ପ୍ରକୃତ ହିତାଧିକରୀ ସରକାରୀ ଯୋଜନାର ଲାଭ ପାଇ ପାରୁଛି କି ? ବୟସର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ ଆବାସ ଯୋଜନାରେ ଗୃହ ଖଣ୍ଡିଏ ପାଇପାରିଲେ ନାହିଁ ତା ସହିତ ପୂର୍ବରୁ ବାର୍ଦ୍ଧକ୍ୟ ଭତ୍ତା ପାଉଥିଲେ ମଧ୍ୟ ଦୁଇ ବର୍ଷରୁ ଉର୍ଦ୍ଧ୍ବ ହେଲାଣି ତାହା ମଧ୍ୟ ବନ୍ଦ ହୋଇଗଲା । ଯମୁନାଙ୍କ ସମସ୍ୟା ନେଇ ଭାରପ୍ରାପ୍ତ ବିଡିଓ କହିଛନ୍ତି କି ଏବେ ରୁରାଲ ହାଉସିଂ ଯୋଜନାରେ ସର୍ଭେ କରା ହୋଇଛି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିବ ଆଉ ପେନସନ ବାବଦରେ ମୁଁ ବିଭାଗୀୟ ଅଧିକାରୀଙ୍କୁ ବୁଝିକି ଖୁବ୍ ଶୀଘ୍ର ସମାଧାନ କରିବା ପାଇଁ ଚେଷ୍ଟା କରିବି । ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ତାର ପ୍ରତିଶ୍ରୁତି କେବେ ପାଳନ କରୁଛି ।