ଉଦଳା: ଦୁର୍ନୀତି ଟଙ୍କାରେ ଆଲିସାନ ବଙ୍ଗଳା । ହଁ ଆଜ୍ଞା, ଟିକେ ଭଲ କରି ଦେଖନ୍ତୁ ଏ ଘରକୁ । ଘର ତ ନୁହେଁ ସତେ ଯେମିତି ରାଜପ୍ରାସାଦ । ଏମିତି ଘର ଦେଖିଲେ ଆପଣ ବି ତାଜୁବ ହୋଇଯିବେ । ହେଲେ ନିଜ ପଇସାରୁ ନୁହେଁ ନିରୀହ ଲୋକଙ୍କଠାରୁ କୋଟି କୋଟି ଟଙ୍କା ହଡପ କରି ଏଭଳି ବଙ୍ଗଳା ତିଆରି କରିଛନ୍ତି ଏ ବାବୁ ଜଣକ । ସେ ପୁଣି କୋଟିଏ କି ଦୁଇ କୋଟି ନୁହେଁ ୧୦୦ କୋଟିରୁ ଉର୍ଦ୍ଧ ଟଙ୍କା ନେଇ ଛୁ ମାରିଛନ୍ତି । ଲୋକଙ୍କ ଠାରୁ ନିବେଶ କରିବା ପାଇଁ କହି ଆଣୁଥିଲେ ଟଙ୍କା । ଆଉ ଦେଉଥିଲେ ଅଧିକ ଲାଭର ଆଶା ।
ହେଲେ ଆଉ ଟଙ୍କା ନେଦେଇ ମାରିଥିଲେ ଛୁ । ଏବେ ନିଜ ଟଙ୍କା ପାଇବା ପାଇଁ ଘର ଆଗରେ ଧାରଣା ଦେଇଛନ୍ତି ନିବେଶ କରିଥିବା ଲୋକେ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା । କେମିତି ଏ ବାବୁ ଜଣକ ଲୋକଙ୍କୁ ଭୁଆଁ ବୁଲାଇ ନେଇଛନ୍ତି କୋଟି କୋଟି ଟଙ୍କା । କଲିକତାର ଏକ ଟ୍ରେଡିଙ୍ଗ କମ୍ପାନୀର ଓଡିଶା ମୁଖ୍ୟ ସାଜିଥିଲେ । ଆଉ ଲୋକଙ୍କ ନିକଟରୁ ଟଙ୍କା ନେଇ ନିବେଶ କରି ଲାଭ ଦେବେ ବୋଲି କହିଥିଲେ । ହେଲେ ନା ଦେଲେ ମୂଳ ନା ମିଳିଲା ଲାଭ । ଯେଉଁଥିପାଇଁ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରିଥିବା ଲୋକେ ଏବେ ଆସି ଘର ସାମ୍ନାରେ ଧାରଣାରେ ବସିଛନ୍ତି ।

ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା ବିଶୋଳ ଗ୍ରାମରେ । ଗ୍ରାମର ଈଶ୍ୱର ବିନ୍ଧାଣି ନାମକ ଜଣେ ବ୍ୟକ୍ତି କଲିକତାର ଏକ ଠକ ଟ୍ରେଡିଙ୍ଗ ସଂସ୍ଥାରେ ଓଡିଶା ମୁଖ୍ୟ ସାଜି ରାଜ୍ୟ ତମାମ ବୁଲି ଲୋକଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କା ନେଇ ବିନିଯୋଗ କରିଥିଲେ । କିନ୍ତୁ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ବିଭିନ୍ନ ଅଞ୍ଚଳରୁ ଠକି ନେଇ ଏବେ ଆଉ ଧରାଛୁଆଁ ଦେଉ ନାହାନ୍ତି । ଯେଉଁଥି ପାଇଁ କଟକ, ଭୁବନେଶ୍ୱର, ଜଗତସିଂହପୁର, ଭଦ୍ରକ ସମେତ ବିଭିନ୍ନ ଅଞ୍ଚଳରେ ଠକାମୀର ଶିକାର ହୋଇଥିବା ଲୋକେ ଆସି ତାଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି ।
କିଏ ଭଲ ଲାଭ ଆଶାରେ ଟଙ୍କା ଦେଇଥିଲା ତ କିଏ ନିଜ ରୋଜଗାର ପାଇଁ ଟ୍ରେଡିଂରେ ନିବେଶ କରିଥିଲା । କିନ୍ତୁ ଯାହାକୁ ଭରଷା କରି ଟଙ୍କା ଦେଇଥିଲେ ସେ ହିଁ ତାଙ୍କୁ ଚୂନା ଲଗେଇଛି । ହିସାବ ଦେଖିବାକୁ ଗଲେ ଈଶ୍ୱର ବିନ୍ଧାଣି ପ୍ରାୟ ୧୦୦ କୋଟିରୁ ଉର୍ଦ୍ଧ ଟଙ୍କା ଲୁଟି ନେଇ ଛୁ ମାରିଛନ୍ତି । ଅନ୍ୟପଟେ ଏଭଳି ଅଭିଯୋଗକୁ ନେଇ ସେହି ବ୍ୟକ୍ତିଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଘଟଣାର ସତ୍ୟତା କେତେ ତାହା ତ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ତେଣୁ ଏ ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ କରିବାକୁ ଅଭିଯୋଗକାରୀମାନେ ଦାବି କରିଛନ୍ତି ।