ଭୁବନେଶ୍ୱର,(ଓଡିଶା ସମାଚାର ନ୍ୟୁଜ): ଆମ ସାମାଜିକ ଜୀବନର ଅୟମାରମ୍ଭ ହୋଇଥାଏ ବିଦ୍ୟାଳୟରୁ । ଶିକ୍ଷା ହିଁ ସଭ୍ୟତା ଓ ସଂସ୍କାରକୁ ଆଗକୁ ନେଇଥାଏ ଏବଂ ରୂପାନ୍ତରର ଭିତି ପକାଇଥାଏ । ସ୍କୁଲରେ ହିଁ ଆମ ବ୍ୟକ୍ତିତ୍ୱର ମୂଳଦୁଆ ପଡିଥାଏ । ଶିଶୁକୁ ସ୍କୁଲ ହିଁ ସମାଜ ସହ ଯୋଡିଥାଏ । ଘର ପରେ ବିଦ୍ୟାଳୟ ସହିତ ଆମ ସମସ୍ତଙ୍କର ଭାବଗତ ବନ୍ଧନ ସବୁଠାରୁ ଅଧିକ । ତେଣୁ ଆମ ଶିକ୍ଷା ଭିତିଭୂମିରେ ଉନ୍ନତି ଆଣି ସରକାରୀ ବିଦ୍ୟାଳୟ ଗୁଡିକରେ ଏକ ଆଦର୍ଶ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସ୍କୁଲ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି ଚାହିଁଲେ ସେ ପଢୁଥିବା ସ୍କୁଲର ବିକାଶରେ ଭାଗୀଦାରି ହୋଇପାରିବ । ତାହା ଭିତିଭୂମି ବିକାଶ ହେଉ, ବା ଶିକ୍ଷାଦାନ । ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ଓଡିଆ ସାମିଲ ହୋଇ ସେମାନେ ପଢିଥିବା ବିଦ୍ୟାଳୟର କାୟାକଳ୍ପରେ ସାମିଲ ହୋଇଛନ୍ତି ।
ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟର ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀଙ୍କ ସମେତ ହାଇକୋର୍ଟର ବିଚାରପତି, ସମସ୍ତ ମନ୍ତ୍ରୀ, ସମସ୍ତ ସାଂସଦ ଏବଂ ବିଧାୟକ ମାନଙ୍କୁ ସେମାନେ ପଢିଥିବା ବିଦ୍ୟାଳୟ ବା ପସନ୍ଦର ବିଦ୍ୟାଳୟକୁ ପୋଷ୍ୟ ଭାବରେ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି । ଜଣେ ବ୍ୟକ୍ତି ଚାହିଁଲେ ସର୍ବାଧିକ ୩ ଗୋଟି ବିଦ୍ୟାଳୟକୁ ପୋଷ୍ୟ ଭାବରେ ଗ୍ରହଣ କରିପାରିବ ।


ସମାଜ ପ୍ରତି ଉତରଦାୟିତ୍ୱକୁ ଠିକ୍ ଭାବରେ ନିର୍ବାହ କରିବା ପାଇଁ ମାର୍ଗ ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ କହିଛନ୍ତି ଯେ ଆପଣମାନେ ନିଜ ନିଜର ଦକ୍ଷତା ଓ ପ୍ରତିଭା ଦ୍ୱାରା ସମାଜରେ ପ୍ରତିଷ୍ଠା ଲାଭ କରିଛନ୍ତି । ଏଥିରେ ଆପଣ ପାଠ ପଢିଥିବା ବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ବିଦ୍ୟାଳୟ ଆମକୁ ବହୁତ କିଛି ଦେଇଛି, ଆମକୁ ଗଢିଛି । ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଆମ ଭିତରେ ସାମର୍ଥ ସୃଷ୍ଟି କରିଛି । ଲକ୍ଷ୍ୟସ୍ଥଳରେ ପହଁଚିିବା ପାଇଁ ଆମର ପ୍ରତିବଦ୍ଧତାକୁ ଆହୁରି ଦୃଢ କରିଛି ।
ରାଜ୍ୟ ସରକାରଙ୍କର ମୋ ସ୍କୁଲ କାର୍ଯ୍ୟକ୍ରମ ଆପଣଙ୍କର ପ୍ରିୟ ବିଦ୍ୟାଳୟ ପାଇଁ କିଛି କରିବା ପାଇଁ ସୁଯୋଗ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉଦାର ହୃଦୟରେ ଆପଣ ଆପଣଙ୍କ ପ୍ରିୟ ବିଦ୍ୟାଳୟର ରୂପାନ୍ତର ପାଇଁ ସୁଯୋଗ ସୃଷ୍ଟି କରିପାରିବେ ବୋଲି ଉଲ୍ଲେଖ କରି ନିଜ ନିଜର ପ୍ରିୟ ବିଦ୍ୟାଳୟକୁ/ବିଦ୍ୟାଳୟ ଗୁଡିକୁ ପୋଷ୍ୟ ଭାବରେ ଗ୍ରହଣ କରିବାପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ସ୍କୁଲ ଆମକୁ ବହୁତ କିଛି ଦେଇଛି । ତାର ପ୍ରତିଦାନ ଦେବା ପାଇଁ ଆଜି ସମୟ ଆସିଛି । ସମାଜର ନେତୃବର୍ଗଙ୍କର ଏହି ସାଧୁ ଉଦ୍ୟମ ଅତ୍ୟନ୍ତ ପ୍ରଭାବଶାଳୀ ହେବା ସହିତ ଆପଣମାନଙ୍କ ପାଇଁ ଏକ ଅନନ୍ୟ ପରିଚୟ ଓ ଅନ୍ୟମାନଙ୍କ ପାଇଁ ଏକ ଅନୁକରଣୀୟ ଉଦାହରଣ ସୃଷ୍ଟି କରିବ ବୋଲି ଉଲ୍ଲେଖ କରି ମୋ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜ୍ୟର ଶୈକ୍ଷିକ ପରିବେଶରେ ଆରମ୍ଭ ହୋଇଥିବା ରୂପାନ୍ତରରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଇବାସହ , ନିଜର ପ୍ରିୟ ବିଦ୍ୟାଳୟକୁ/ବିଦ୍ୟାଳୟ ଗୁଡିକୁ ପୋଷ୍ୟ ଭାବରେ ଗ୍ରହଣ କରିବାପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।