ମହାପ୍ରଭୁଙ୍କ ଜମି ବିକ୍ରି ନେଇ ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ

ବିକ୍ରି ହୋଇନାହିଁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ୩୫ ହଜାର ଏକର ଜମି । ପ୍ରଚାରିତ ତଥ୍ୟ ବିଭ୍ରାଟକାରୀ, ମନଗଢ଼ା ଓ ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ମହାପ୍ରଭୁଙ୍କ ଜମି ବିକ୍ରି ନେଇ ହେଉଥିବା ନାନା ଚର୍ଚ୍ଚାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟୀକରଣ ରଖିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି- ଦୀର୍ଘଦିନରୁ ମହାପ୍ରଭୁଙ୍କ ଅନେକ ଜମି ବିଭିନ୍ନ ବ୍ୟକ୍ତି ବିଶେଷଙ୍କ କବଜାରେ ରହିଥିଲା । ଉକ୍ତ ଜମିକୁ ମନ୍ଦିର କମିଟି ଦ୍ୱାରା ଏକୀକୃତ ନୀତିରେ ବନ୍ଦୋବସ୍ତ କରାଯାଇଛି । ଏନେଇ ୨୦୦୩ରେ ମହାପ୍ରଭୁ ଜଗନ୍ନାଥଙ୍କ ଜମିକୁ ସୁରକ୍ଷା ଦେବା ପାଇଁ ୟୁନିଫାଏଡ ପଲିସି ଅଣାଯାଇଥିଲା । ଜମି ବନ୍ଦୋବସ୍ତ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ସମାନତା ଆଣିବା ଏହାର ଲକ୍ଷ୍ୟ । ୨୦୦୧ ମସିହାରୁ ୨୦୨୧ ମସିହା ୯ ବର୍ଷ ମଧ୍ୟରେ ୨୯୧ ଏକର ଜମି ବନ୍ଦୋବସ୍ତ କରାଯାଇଥିବା ବେଳେ ୨୦୧୧ରୁ ୨୦୨୧ ୧୦ ବର୍ଷ ଭିତରେ ୯୬ ଏକ ଜମି ବନ୍ଦୋବସ୍ତ ହୋଇଛି । ଏସବୁ ଜମି ଜନସାଧାରଣଙ୍କ ସ୍ୱାର୍ଥ୍ୱରେ ବିଶେଷ କରି ବିଦ୍ୟାଳୟ, ମେଡିକାଲ କଲେଜ୍, ରାସ୍ତା ହୋଇଛି । ଜନସ୍ୱାର୍ଥ୍ୱ ଦୃଷ୍ଟିରୁ ଭିତ୍ତିଭୂମି ବିକାଶ ପାଇଁ ଏହି ଜମି ଜଗନ୍ନାଥ ମନ୍ଦିର କମିଟିର ନିଷ୍ପତ୍ତି କ୍ରମେ ଦିଆଯାଇଛି । ତେବେ ବାରମ୍ବାର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ୩୫ ହଜାର ଏକର ଜମି ବିକ୍ରି ହୋଇଥିବା ଦୋହରାଇବା ସମ୍ପୂର୍ଣ୍ଣ ମିଥ୍ୟା ଓ ମନଗଢ଼ା ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି । ଏଭଳି ମିଥ୍ୟା ଖବରରେ କୋଟି କୋଟି ଜଗନ୍ନାଥ ପ୍ରେମୀ ଓ ଓଡ଼ିଶାବାସୀ ଭ୍ରମିତ ନ ହେବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଛି ।

Leave A Reply

Your email address will not be published.