୮ବର୍ଷ ପରେ ତରୁଣ ତେଜପାଲ ଦୋଷମୁକ୍ତ

ନିଜ ସହକର୍ମୀଙ୍କୁ ବଳାତ୍କାର ମାମଲାରେ ତେହଲକା ମାଗାଜିନର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲ ଦୋଷମୁକ୍ତ ହୋଇଛନ୍ତି। ଗୋଆ ଦୌରାଜଜ୍‌ କୋର୍ଟ ୮ ବର୍ଷ ପରେ ଅଭିଯୁକ୍ତ ତରୁଣ ତେଜପାଲଙ୍କୁ ଦୋଷମୁକ୍ତ କରିଛନ୍ତି। ୨୦୧୩ରେ ଗୋଆର ଏକ ବିଳାସପୂର୍ଣ୍ଣ ହୋଟେଲର ଲିଫ୍ଟ ଭିତରେ ତରୁଣ ତାଙ୍କର ଜଣେ ମହିଳା ସହକର୍ମଙ୍କୁ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଗୋଆ ପୁଲିସ ୨୦୧୩ ନଭେମ୍ବରରେ ମାମଲା ରୁଜୁ କରିବା ସହିତ ତରୁଣ ତେଜପାଲଙ୍କୁ ଗିରଫ କରିଥିଲା। ୨୦୧୪ରୁ ସେ ଜାମିନ ପାଇ ଜେଲରୁ ମୁକୁଳିଥିଲେ। ୨୦୧୪ ଫେବୃୟାରୀରେ ଗୋଆ ପୁଲିସ ତରୁଣଙ୍କ ବିରୋଧରେ କୋର୍ଟରେ ୨୮୪୬ ପୃଷ୍ଠାର ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ। ସୂଚନା ଅନୁଯାୟୀ, ୨୦୧୩ରେ ଗୋଆର ଏକ ବିଳାସପୂର୍ଣ୍ଣ ହୋଟେଲରେ ତେହଲକା ମାଗାଜିନର କାର୍ଯ୍ୟକ୍ରମ ରହିଥିଲା। କାର୍ଯ୍ୟକ୍ରମ ସରିବା ପରେ ଅଭିଯୋଗକାରୀ ମହିଳା ଜଣେ ଅତିଥିଙ୍କୁ ତାଙ୍କ ପ୍ରକୋଷ୍ଠରେ ଛାଡ଼ି ଫେରୁଥିଲେ। ହୋଟେଲର ବ୍ଲକ ୭ର ଏକ ଲିଫ୍ଟ ସାମ୍ନାରେ ତାଙ୍କ ବସ୍‌ ତରୁଣ ତେଜପାଲ ତାଙ୍କୁ ଭେଟିଥିଲେ। ଏହି ସମୟରେ ତରୁଣ ମହିଳାଙ୍କୁ ଅଚାନକ ଲିଫ୍ଟ ଭିତରକୁ ଟାଣି ନେବା ସହିତ ତୁରନ୍ତ ଲିଫ୍ଟର ସୁଇଚ୍‌କୁ ଏପରି ଟିପି ଦେଇଥିଲେ ଯେ, ଯାହାଦ୍ବାରା ଲିଫ୍ଟ ଅଟକି ନ ଥିଲା କି ଦ୍ବାର ଖୋଲି ନ ଥିଲା। ଏହା ପରେ ତରୁଣ ତାଙ୍କୁ ଲିଫ୍ଟ ଭିତରେ ବଳାତ୍କାର କରିଥିବା ପୀଡ଼ିତା ଅଭିଯୋଗ କରିଥିଲେ ।

Leave A Reply

Your email address will not be published.