ଐତିହାସିକ ଘୋଡା ସ୍ଥାନାନ୍ତରଣ ନେଇ ବଢୁଛି ବିବାଦ

ଭୁବନେଶ୍ବର : ଭୁବନେଶ୍ୱରର ଐତିହ୍ୟ ପାଲଟିଥିବା ମାଷ୍ଟରକ୍ୟାଣ୍ଟିନ ଛକ ଘୋଡାକୁ ରାଜଭବନ ଆଗକୁ ସ୍ଥାନାନ୍ତରଣ ନେଇ ଆଜି ଲଗାତାର ଦ୍ୱିତୀୟ ଦିନରେ କଂଗ୍ରେସ ବିଧାୟକ ନିଜ ସମର୍ଥକଙ୍କ ସହ ଘୋଡାମୂର୍ତ୍ତି ତଳେ ଧାରଣା ଦେଇଛନ୍ତି । ବିଜେପି ବି ଘୋଡା ସ୍ଥାନାନ୍ତରଣକୁ ବିରୋଧ କରିଛି । କିଛି ସଙ୍ଗଠନ ମଧ୍ୟ ଏଭଳି ସ୍ଥାନାନ୍ତରଣକୁ ପୂର୍ବରୁ ବିରୋଧ କରିସାରିଛନ୍ତି । ୧୯୮୮ରେ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନରେ ଏହି ଘୋଡାକୁ ସ୍ଥାପନ କରାଯାଇଥିଲା । କୋଣାର୍କ ମନ୍ଦିରର ଶୋଭା ବଢାଉଥିବା ଯୁଦ୍ଧ ଘୋଡା ସଦୃଶ ଏହାର ନିର୍ମାଣ ହୋଇଥିଲା । ସ୍ୱର୍ଗତ ରଘୁନାଥ ମହାପାତ୍ର ଏହାକୁ ନିର୍ମାଣ କରିଥିଲେ । ତେବେ ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ ଘୋଡାର ସ୍ଥାନାନ୍ତର ପ୍ରସ୍ତାବକୁ ବିରୋଧ ଏବେ ବଢିବାରେ ଲାଗିଛି । ଗତକାଲି ଉଭୟ କଂଗ୍ରେସ ଓ ବିଜେପି ଏହାକୁ ବିରୋଧ କରିଥିଲେ। ସରକାର ଘୋଡ଼ା ସ୍ଥାନାନ୍ତର ନିଷ୍ପତ୍ତିରୁ ନ ଓହରିଲେ ଆଗକୁ ଜୋରଦାର୍ ଆନ୍ଦୋଳନ ହେବ ବୋଲି ବିରୋଧୀଦଳଗୁଡ଼ିକ ଚେତାବନୀ ଦେଇଛନ୍ତି। ଏପଟେ ସଂସ୍କୃତି ବିଭାଗ ଘୋଡ଼ା ଓ ଯୋଦ୍ଧା ସମେତ ସମସ୍ତ ପ୍ରସ୍ତର ମୂର୍ତ୍ତିକୁ ସ୍ଥାନାନ୍ତର କରିବା ଜିଦ୍‌ରେ ଥିବାରୁ ବିବାଦ ଘନେଇଛି। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମାଷ୍ଟରକ୍ୟାଣ୍ଟିନ ଛକସ୍ଥିତ ଘୋଡ଼ା ମୂର୍ତ୍ତି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କହିଛନ୍ତି ଯେ, ଏହି ଯୋଦ୍ଧା ଘୋଡ଼ା ଓଡ଼ିଶାର ସ୍ବର୍ଣ୍ଣିମ ଇତିହାସ, ବୀରପୁରୁଷ ଓ ସ୍ବାଧୀନତା ସଂଗ୍ରାମୀମାନଙ୍କର ବୀରତ୍ବ ଗାଥାର ଏକ ପ୍ରସ୍ତର ପ୍ରଦର୍ଶନ। ଏହାକୁ ଏଠାରୁ ସ୍ଥାନାନ୍ତରଣ କରାଯାଇପାରିବନାହିଁ ।

Leave A Reply

Your email address will not be published.