ପ୍ରଥମ ଦିନିକିଆ: ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଲା ଭାରତ

କଲମ୍ବୋ, ଜୁଲାଇ ୧୯ : ଶ୍ରୀଲଙ୍କା ଗସ୍ତରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି । ଶିଖର ଧାୱନଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ରବିବାର ଶ୍ରୀଲଙ୍କାକୁ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ୭ ୱିକେଟରେ ପରାସ୍ତ କରିଛି । କଲମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା ଏବଂ ଦଳ ଶ୍ରୀଲଙ୍କା ପକ୍ଷରୁ ଚମିକା କରୁଣାରତ୍ନେ ଅପରାଜିତ ୪୩ ରନ୍ ଓ ଅଧିନାୟକ ଦାସୁନ ଶନାକା ୩୯ ରନ୍ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ୱିକେଟ ହରାଇ ୨୬୨ ରନ୍ ସଂଗ୍ରହ କରିଥିଲା । ଫଳରେ ଭାରତୀୟ ଟିମକୁ ୨୬୩ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା । ଭାରତ ବିଜୟ ଲକ୍ଷ୍ୟକୁ ୩୬.୩ ଓଭରରେ ୩ଟି ୱିକେଟ ହରାଇ ହାସଲ କରିଥିଲା ।  ଶ୍ର୍ରୀଲଙ୍କା ଗସ୍ତରେ ଭାରତୀୟ ଟିମ୍‌ର ଅଧିନାୟକ ଶିଖର ଧାୱନ ପ୍ରଥମ ମ୍ୟାଚରେ ବ୍ୟକ୍ତିଗତ ଭାବେ ୮୬  ରନ୍ ସଂଗ୍ରହ କରିଥିଲେ । ବିଜୟ ଲୟରେ ଥିବା ଭାରତର ଓପନର ଶିଖର ଧାୱନ ଓ ପୃଥ୍ୱୀ ଶ’ (୪୩) ୫.୩ ଓଭରରେ ପ୍ରଥମ ୱିକେଟ ପାଇଁ ୫୮ ରନ୍ ଯୋଡ଼ିଥିଲେ । ପୃଥ୍ୱୀ ୯ଟି ଚୌକା ମାରିଥିଲେ । ଯୁବ କ୍ରିକେଟର ଈଷନ କିଷନ (୫୯) ୪୨ଟି ବଲର ସମ୍ମୁଖୀନ ହୋଇଥିଲେ । ସେ ଧୱନଙ୍କ ସହିତ ୭୪ଟି ବଲ ଖେଳି ୨ୟ ୱିକେଟ ପାଇଁ ୮୫ ରନ୍ ଯୋଡ଼ିଥିଲେ । ଟିମ ଇଣ୍ଡିଆର ବରିଷ୍ଠ ଖେଳାଳି ଧୱନ ସାଥୀ ଖେଳାଳିଙ୍କ ସହିତ ସ୍ଥିତ ବୁଦ୍ଧିରେ ଖେଳିଥିଲେ । ପୃଥ୍ୱୀ, ଈଷନ ଓ ମନୀଷ ପାଣ୍ଡେକୁ ଭଲ ସହଯୋଗ ଦେଇଥିଲେ । ମନୀଷ ୨୬ ରନ୍‌ରେ ଆଉଟ ହେବା ପୂର୍ବରୁ ଧୱନଙ୍କ ସହିତ ୩ୟ ୱିକେଟ ପାଇଁ ୭୨ ରନ୍ ସଂଗ୍ରହ କରିଥିଲେ । ଦିନିକିଆରେ ପଦାର୍ପଣ କରିଥିବା ସୂର୍ଯ୍ୟକୁମାର ଯାଦବ ଅପରାଜିତ ୩୧ ରନ୍ କରିଥିଲେ ।

Leave A Reply

Your email address will not be published.