ଦେଶରେ ପ୍ରଥମ ମୁଣ୍ଡ ନେଲା ବାର୍ଡ ଫ୍ଲୁ

ନୂଆଦିଲ୍ଲୀ: ଦେଶରେ ଚଳିତ ବର୍ଷ ପ୍ରଥମ ମୁଣ୍ଡ ନେଇଛି ବାର୍ଡ ଫ୍ଲୁ। ଏଚ୍‌୫ଏନ୍‌୧ ଆଭିଏନ ଇନଫ୍ଲୁଏଞ୍ଜାରେ ସଂକ୍ରମିତ ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଜଣେ ୧୧ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ଚଳିତ ବର୍ଷ ଆରମ୍ଭରୁ ଦେଶରେ ବାର୍ଡ ଫ୍ଲୁ ସଂକ୍ରମଣ ରେକର୍ଡ କରାଯାଇଥିଲା। ହେଲେ ଏଯାଏ କାହାର ମୃତ୍ୟୁ ସମ୍ପର୍କରେ ସୂଚନା ମିଳି ନଥିଲା। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୧୧ ବର୍ଷୀୟ ବାଳକଙ୍କର ମୃତ୍ୟୁ ଘଟିଥିବାରୁ ଏବେ ଏହାର ସମସ୍ତ କର୍ତ୍ତୃପକ୍ଷ ଆଇସୋଲେସନରେ ଅଛନ୍ତି। ସାଧାରଣତଃ ଲୋକମାନେ ଏହି ଆଭିଏନ ଏନଫ୍ଲୁଏଞ୍ଜାରେ ଆକ୍ରାନ୍ତ ହୋଇ ନଥାଆନ୍ତି। ହେଲେ ଯଦି କେହି ଏଥିରେ ଆକ୍ରାନ୍ତ ହୁଅନ୍ତି, ତା’ହେଲେ ଏହାର ମୃତ୍ୟୁହାର ପ୍ରାୟ ୬୦% ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଏହି ଫ୍ଲୁ କୁକୁଡ଼ା ଓ ଅନ୍ୟ ପକ୍ଷୀଙ୍କ ଶରୀରରେ ଦେଖାଯାଇ ଥାଏ। ଜାନୁଆରୀ ମାସରେ ହରିଆଣା, କେରଳ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ରାଜସ୍ଥାନ ଓ ଗୁଜରାଟ ଭଳି ରାଜ୍ୟରେ ବାର୍ଡ ଫ୍ଲୁ ସଂକ୍ରମଣ ଦେଖାଯାଇଥିଲା। ଏଥିପାଇଁ କୁକୁଡ଼ା ଠାରୁ ଆରମ୍ଭ କରି ଏକାଧିକ ପକ୍ଷୀଙ୍କୁ ହତ୍ୟା କରାଯାଇଥିଲା। ଜାନୁଆରୀ ମାସରେ ଲାଲକିଲ୍ଲା ଠାରୁ ସଂଗୃହୀତ ନମୁନା ପଜିଟିଭ ଆସିଥିଲା। ଏହି କାରଣରୁ ଦିଲ୍ଲୀ ସରକାର ଗାଜିପୁର ମାର୍କେଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫେବୃଆରୀ ମାସରେ ମଧ୍ୟ ଦିଲ୍ଲୀରେ ଥିବା ନ୍ୟାଶନାଲ ଜୁଲୋଜିକାଲ ପାର୍କରେ ଅନେକ ପଜିଟିଭ କେସ୍‌ ଆସିଥିଲା। ଏପ୍ରିଲ ମାସରେ ପୁଣିଥରେ ବିଦେଶୀରୁ ଆସିଥିବା ଶତାଧିକ ପକ୍ଷୀଙ୍କ ଠାରେ ଏହି ଆଭିଏନ ଇଞ୍ଜଫ୍ଲୁଏଞ୍ଜା ଚିହ୍ନଟ ହୋଇଥିଲା। ଏହି ସଂକ୍ରମଣ ବ୍ୟାପୁଥିବା ବେଳେ ଜଣେ ୧୧ ବର୍ଷୀୟ ବାଳକଙ୍କ ଶରୀରରୁ ଏଚ୍‌୫ଏନ୧ ଠାବ ହୋଇଥିଲା।

Leave A Reply

Your email address will not be published.