ମୌସୁମୀ ଅଧିବେଶନ ଜାରି; ଜନ୍ତର-ମନ୍ତରରେ ଆଜି ଧାରଣା

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଗତ ୧୯ ତାରିଖ ଠାରୁ ଜାରି ରହିଛି । ଏକାଧିକ ଦାବି ନେଇ ଆଜି ଚାଷୀମାନେ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ଜନ୍ତର-ମନ୍ତରରେ ଧାରଣା ଦେବେ । ଦେଶର ବିଭିନ୍ନ ଅଂଚଳରୁ ପ୍ରାୟ ୨୦୦ ଚାଷୀ ଧାରଣାସ୍ଥଳକୁ ପହଂଚିବେ । ଚାଷୀମାନେ ନିଜର ଦାବିକୁ ନେଇ ସ୍ୱର ଉଠାଇବେ । କୌଣସି ଅପ୍ରିତିକର ଘଟଣା ନ ଘଟିବା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବୁଧବାର ହୋଇଥିବା ୩ୟ ପର୍ଯ୍ୟାୟର ବୈଠକ ପରେ ୨୦୦ ଚାଷୀ ଜନ୍ତର-ମନ୍ତରରେ ଚାଷୀ ବୈଠକ ଆୟୋଜନ କରିବାକୁ ଅନୁମତି ମିଳିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ନ ହେଉ, ଏହାକୁ ଦୃଷ୍ଟିରେ ରଖି ଏକ ରାସ୍ତା ବାହାର କରାଯାଇଛି ।  ସଂଯୁକ୍ତ କିଷାନ ମୋର୍ଚ୍ଚାରେ ଦେଶବ୍ୟାପୀ ପାଖାପାଖି ୪୦ଟି ଚାଷୀ ସଂଗଠନ ପରିଚାଳିତ ହେଉଛି । ଏଥିରେ ଏକ ଗୋଷ୍ଠୀର ସଦସ୍ୟଙ୍କୁ ଅନୁମତି ଦେବା ବଦଳରେ ଭିନ୍ନ ଭିନ୍ନ ସଂଗଠନର ଚାଷୀ ଆନ୍ଦୋଳନକାରୀଙ୍କୁ ଅନୁମତି ଦିଆଯାଇଛି । ପତ୍ୟେକ ସଂଗଠନର ୫-୫ ଜଣ ସଦସ୍ୟ ଆନ୍ଦୋଳନକୁ ଓହ୍ଲାଇବେ । ଏମାନେ ସମସ୍ତେ ଗୁରୁବାର ସିଂଘୁ ସୀମାରେ ଏକତ୍ର ହେବେ । ଏଠାରୁ ପୋଲିସ ୫-୬ ଜଣଙ୍କୁ ବସାଇ ଏସ୍କଟ କରି ଜନ୍ତର-ମନ୍ତରକୁ ଆଣିବ । ସେହିପରି ଟିକରୀ ଓ ଗାଜୀପୁର ସୀମାରେ ପ୍ରଦର୍ଶନ କରୁଥିବା ଚାଷୀ ସଂଗଠନର ପ୍ରତିନିଧିଙ୍କୁ ମଧ୍ୟ ଦିଲ୍ଲୀ ଯିବା ପାଇଁ ସିଂଘୁ ସୀମାକୁ ପହଂଚିବାକୁ ପଡ଼ିବ ।

Leave A Reply

Your email address will not be published.