ଆଜି ‘ମହିଳା ଚାଷୀ’ ଦେଖାଇବେ ପ୍ରଦର୍ଶନ

ନୂଆଦିଲ୍ଲୀ, ଜୁଲାଇ ୨୬ : ଦିଲ୍ଲୀ ସୀମାରେ ଜାରି ଥିବା ଚାଷୀ ଆନ୍ଦୋଳନକୁ ୮ ମାସ ପୂରିଛି । ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ଆଜି ଜନ୍ତର ମନ୍ତରରେ ମହିଳାଙ୍କ ବୈଠକ ଆୟୋଜନ ହେବ । ଦେଶର ବିଭିନ୍ନ ଅଂଚଳରୁ ଆସିଥିବା ମହିଳାମାନେ ଏହି ବୈଠକରେ ଉପସ୍ଥିତ ରହିବେ । ଆଜି ସିଂଘୁ ସୀମାରୁ ୨୦୦ ଜଣ ମହିଳା ଚାଷୀ ଆନ୍ଦୋଳନ ପାଇଁ ଜନ୍ତର ମନ୍ତର ପହଂଚିବେ ଏବଂ ସେଠାରେ ବୈଠକ ଜରିଆରେ ନିଜର ଦାବିକୁ ଆନ୍ଦୋଳନ ମାଧ୍ୟମରେ ଦେଶବାସୀଙ୍କ ପାଖରେ ପହଂଚାଇବେ । ଏଥି ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।  ଅନ୍ୟପଟରେ ଦିଲ୍ଲୀ ପୋଲିସ ମଧ୍ୟ ଚାଷୀଙ୍କ ଏହି ଘୋଷଣାକୁ ଦୃଷ୍ଟିରେ ରଖି ନିଜକୁ ପ୍ରସ୍ତୁତ କରିଛି । ସୋମବାର ଜନ୍ତର ମନ୍ତରରେ ମହିଳା ଚାଷୀମାନେ ପହଂଚିବା ପୂର୍ବରୁ ମହିଳା ପୋଲିସ ବଳ ଅଧିକ ସଂଖ୍ୟାରେ ମୁତୟନ ହେବେ । ଏଥି ସହିତ ସିଂଘୁ ସୀମାରୁ ଆସିବାକୁ ଥିବା ମହଳାଙ୍କୁ ଚେକିଂ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । ଦିଲ୍ଲୀ ପୋଲିସ ଗଣମାଧ୍ୟମକୁ କହିଛି ଯେ, ସୁରକ୍ଷା ବ୍ୟବସ୍ଥାରେ ଅବହେଳା କରାଯିବ ନାହିଁ । ସୂଚନାଯୋଗ୍ୟ, ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦେଶର ୪୦ଟି ଚାଷୀ ସଂଗଠନର ନେତାମାନେ ଗତବର୍ଷ ନଭେମ୍ବର ୨୬ ତାରିଖ ଠାରୁ ଦିଲ୍ଲୀର ସିଂଘୁ, ଟିକିରି ଏବଂ ଗାଜିପରୁ  ସୀମାରେ ଆନ୍ଦୋଳନ କରୁଛନ୍ତି । ସରକାର ଚାଷୀମାନଙ୍କ ସହିତ ଅନେକ ପର୍ଯ୍ୟାୟରେ କଥା ହୋଇଛନ୍ତି । କିନ୍ତୁ ଫଳାଫଳ ଶୂନ୍ୟ ରହିଛି । 

Leave A Reply

Your email address will not be published.