ମହାରାଷ୍ଟ୍ରରେ ବନ୍ୟା-ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୧୯୨ ଛୁଇଁଲା

ମୁମ୍ବାଇ, ଜୁଲାଇ ୨୭ : ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ଉପୁଜିଥିବା ବନ୍ୟା ଓ ଭୂସ୍ଖଳନରେ ଯୋଗୁଁ ମୃତ୍ୟୁ ସଂଖ୍ୟା ୧୯୨କୁ ବୃଦ୍ଧି ପାଇଛି । ମୃତକମାନଙ୍କ ମଧ୍ୟରେ ଅଧିକାଂଶ ରାୟଗଡ଼ ଜିଲ୍ଲାରୁ ଅଛନ୍ତି । ରାୟଗଡ଼ ଜିଲ୍ଲାରୁ ସର୍ବାଧିକ ୯୫ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ସାତରାରୁ ୪୫, ରତ୍ନଗିରିରୁ ୨୧, ଥାଣେରୁ ୧୨, କୋହ୍ଲାପୁରରୁ ୭, ସିନ୍ଧୁଦୁର୍ଗ, ଅକୋଲା, ପୁଣେ ଓ ୱାର୍ଦ୍ଧାରୁ ୨ ଜଣ ଲେଖାଏ ଏବଂ ମୁମ୍ବାଇରୁ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ୪୮ ଜଣ ଲୋକ ଆହତ ହୋଇଥିବା ବେଳେ ୨୫ ଜଣ ଏବେବି ନିଖୋଜ ଅଛନ୍ତି । ଅନ୍ୟପଟରେ ଉଦ୍ଧାରକାରୀ ଟିମ୍ ୨ ଲକ୍ଷ ୨୯ ହଜାର ୭୪ ଜଣଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖିଛନ୍ତି । ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ସୋମବାର ସଙ୍ଗଲି ଜିଲ୍ଲାର ବନ୍ୟାରେ କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିଛନ୍ତି । ସେ କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତ ମିଳିବ ବୋଲି ଘୋଷଣା କରିଛନ୍ତି ।  ଗତ ରବିବାର ବନ୍ୟା ଅଂଚଳ ବୁଲି ଦେଖିବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟର ସମ୍ମୁଖୀନ ହୋଇଥିବା ଜିଲ୍ଲାଗୁଡ଼ିକରେ ସ୍ୱତନ୍ତ୍ର ଏନଡିଆରଏଫ ଟିମ ମୁତୟନ ହେବେ । ବନ୍ୟା ପ୍ରଭାବିତ ଚିପଲୁନ ଅଂଚଳ ପରିଦର୍ଶନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଳ୍ପଦିନ ମଧ୍ୟରେ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ କରାଯିବ ।  ସିଏମ୍‌ଓ ମହାରାଷ୍ଟ୍ର ପକ୍ଷରୁ କୁହାଯାଇଛି ଯେ, ଭବିଷ୍ୟତରେ ଏଭଳି ବିପର୍ଯ୍ୟୟର ସମ୍ମୁଖୀନ ହେବା ପାଇଁ ବନ୍ୟା ନିୟନ୍ତ୍ରଣ ପ୍ରଣାଳୀର ବ୍ୟବସ୍ଥା କରିବୁ । ରାଜ୍ୟର ବନ୍ୟାସ୍ଥିତି ନେଇ ସମୀକ୍ଷା କରାଯିବ । ଏହା ପରେ ବନ୍ୟା ପ୍ୟାକେଜ ଘୋଷଣା କରାଯିବ । ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହୋଇଥିଲା । ମୁମ୍ବାଇ ସମେତ ପୁଣେ ଏବଂ ରାୟଗଡ଼ ଜିଲ୍ଲାରେ ବର୍ଷା ଯୋଗୁଁ ପ୍ରବଳ କ୍ଷତି ହୋଇଥିଲା । 

Leave A Reply

Your email address will not be published.