ଭାରତ-ଶ୍ରୀଲଙ୍କା ଟି-୨୦ ଶୃଙ୍ଖଳା: ଆଜି ଦ୍ୱିତୀୟ ମୁକାବିଲା

କଲମ୍ବୋ, ଜୁଲାଇ ୨୭ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଜାରି ଥିବା ଟି-୨୦ ଶୃଙ୍ଖଳାର ୨ୟ ମ୍ୟାଚ ଆଜି ଖେଳାଯିବ । କଲମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡ଼ିୟମରେ ଭାରତୀୟ ସମୟ ଅନୁସାରେ ରାତି ୮ଟାରୁ ଏହି ମ୍ୟାଚ ଖେଳାଯିବ । ଏଥି ପାଇଁ ଉଭୟ ଅତିଥି ଟିମ୍ ଏବଂ ଘରୋଇ ଦଳ ପ୍ରସ୍ତୁତ ହୋଇଯାଇଛନ୍ତି । ମ୍ୟାଚ ବିଜୟ ପାଇଁ ଉଭୟ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି । ଶିଖର ଧାୱନଙ୍କ ନେତୃତ୍ୱରେ ଖେଳୁଥିବା ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଆଜିର ମ୍ୟାଚକୁ ନେଇ ବେଶ ଉତ୍ସାହିତ ଅଛି । ଆଜିର ମ୍ୟାଚ ଜିତି ଶୃଙ୍ଖଳା ବିଜୟ ହାସଲ କରିବାକୁ ଉଦ୍ୟମ କରିବ । ସେଥିପାଇଁ ଭାରତୀୟ ଦଳ ରଣନୀତି ପ୍ରସ୍ତୁତ କରିଛି । ଅନ୍ୟପଟରେ ଶ୍ରୀଲଙ୍କା ଫର୍ମକୁ ଫେରିବାକୁ ଶତପ୍ରତିଶତ ଉଦ୍ୟମ କରିବ ।  ସୂଚନାଯୋଗ୍ୟ, ୩ ମ୍ୟାଚ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଗତ ୨୫ ତାରିଖ ଦିନ ଆୟୋଜକ ଶ୍ରୀଲଙ୍କାକୁ ଟିମ୍ ଇଣ୍ଡିଆ ୩୮ ରନ୍‌ରେ ପରାସ୍ତ କରିବା ସହିତ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି । ଟିମ୍ ଇଣ୍ଡିଆ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ ହରାଇ ୧୬୪ ରନ୍ ସଂଗ୍ରହ କରିଥିଲା । ଜବାବରେ ଶ୍ରୀଲଙ୍କା ଟିମ ସମସ୍ତ ୱିକେଟ ହରାଇ ୧୮.୩ ଓଭରରେ ୧୨୬ ରନ୍ ଜୁଟାଇବାକୁ ସକ୍ଷମ ହୋଇଥିଲା । ପ୍ଲେୟାର ଅଫ ଦ ମ୍ୟାଚ୍ ଭୁବନେଶ୍ୱର କୁମାର ୪ଟି ୱିକେଟ ନେଇଥିଲେ । ଭାରତ ନିକଟରେ ଶେଷ ହୋଇଥିବା ଦିନିକିଆ ଶୃଙ୍ଖଳାରେ ୨-୧ରେ ବିଜୟୀ ହୋଇଥିଲା । 

Leave A Reply

Your email address will not be published.