ବିଜୟ ମାଲ୍ୟାକୁ ଦେବାଳିଆ ଘୋଷଣା କଲେ ବ୍ରିଟିଶ ହାଇକୋର୍ଟ

ଲଣ୍ଡନ, ଜୁଲାଇ ୨୭ : ପଳାତକ ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟାକୁ ଲଣ୍ଡନ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି । ହାଇକୋର୍ଟ ବିଜୟ ମାଲ୍ୟାକୁ ଦେବାଳିଆ ଘୋଷଣା କରିଛନ୍ତି । କୋର୍ଟ ଏହି ନିଷ୍ପତ୍ତି ସହିତ ଏବେ କିଙ୍ଗଫିଶର କଂପାନୀ ଉପରେ ଥିବା ବକେୟାର ଅସୁଲି ପାଇଁ ବିଜୟ ମାଲ୍ୟାର ସଂପତ୍ତି ଜବତ କରିବା ରାସ୍ତା ଖୋଲି ଦେଇଛନ୍ତି ।  କଂପାନୀ ନ୍ୟାୟାଳୟର ବିଚାରପତି ମାଇକେଲ ବ୍ରିଗ୍ସ ଭିଡିଓ କନଫରେନ୍ସିଂରେ ହୋଇଥିବା ଶୁଣାଣୀରେ କହିଛନ୍ତି ଯେ, ବିଜୟ ମାଲ୍ୟାକୁ ଦିବାଳିଆ ଘୋଷଣା କରୁଛି । ଭାରତୀୟ ବ୍ୟାଙ୍କ ତରଫରୁ ମାମଲାର ଲଢ଼େଇ କରୁଥିବା ଓକିଲ ଟିଏଲଟି ଏଲପଲପୀ ଏବଂ ବାରିଷ୍ଟର ମାର୍ସିଆ ଶେକରଡେମିୟନ ବିଗତ ଦିନରେ ମାଲ୍ୟାକୁ ଦେବାଳିଆ ଘୋଷଣା ଦାବି କରିଥିଲେ ।  ଅନ୍ୟପଟରେ ଓକିଲ ଫିଲିପ ମାର୍ଶଲ ଶୁଣାଣୀ ଓ ଆଦେଶକୁ ସ୍ଥଗିତ ଦାବି କରିଥିଲେ । କିନ୍ତୁ ଜଜ ଝଟକା ଦେଇଛନ୍ତି । ନିଜର ଆଦେଶରେ ଜଜ କହିଛନ୍ତି ଯେ, ଏହି ପ୍ରସଙ୍ଗରେ କୋର୍ଟଙ୍କ ନିକଟରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି । ନିଆଯାଇଥିବା ଋଣ ଆବେଦନକର୍ତ୍ତାଙ୍କୁ ଠିକ ସମୟ ଭିତରେ ସଂପୂର୍ଣ୍ଣ ଭାବରେ ଫେରାଇ ଦିଆଯିବ । ଏହା ପରେ ମାଲ୍ୟାଙ୍କ ଓକିଲ ଦେବାଳିଆ ଆଦେଶ ବିରୋଧରେ କୋର୍ଟରେ ଅପିଲ ପାଇଁ ସମୟ ମାଗିଛନ୍ତି, ଯାହାକୁ ଜଜ ବ୍ରିଗ୍ସ ମଂଜୁରୀ ଦେଇଛନ୍ତି । ସୂଚନାଯୋଗ୍ୟ, ପଳାତକ ବ୍ୟବସାୟୀ ବିରୋଧରେ ଭାରତର ୧୩ ବ୍ୟାଙ୍କ ସଂଘ ଗଠନ କରି ଲଣ୍ଡନ ହାଇକୋର୍ଟରେ ଆବେଦନ କରିଥିଲେ । ଏହି ସଂଘରେ ବ୍ୟାଙ୍କ ଅଫ ବରୋଦା, କର୍ପୋରେଶନ ବ୍ୟାଙ୍କ, ଫ୍ୟାଡରାଲ ବ୍ୟାଙ୍କ, ଆଇଡିବିଆଇ, ଇଣ୍ଡିଆନ ଓବରସିଜ ବ୍ୟାଙ୍କ, ଜମ୍ମୁ କଶ୍ମୀର ବ୍ୟାଙ୍କ, ପଂଜାବ ଏବଂ ସିନ୍ଧ ବ୍ୟାଙ୍କ, ପଂଜାବ ନ୍ୟାଶନାଲ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ମହୀଶୂର, ୟୁକୋ ବ୍ୟାଙ୍କ, ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ଓ ଜେଏମ୍ ଫାଇନାନସିଆଲ ଏସେଟ ରିକନଷ୍ଟ୍ରସନ କଂପାନୀ ରହିଛି । 

Leave A Reply

Your email address will not be published.