ଭାରତରେ କରୋନା: ୨୪ ଘଣ୍ଟାରେ ୫୪୯ ଆକ୍ରାନ୍ତଙ୍କ ମୃତ୍ୟୁ, ୪୪,୬୭୩ ନୂଆ ପଜିଟିଭ

ନୂଆଦିଲ୍ଲୀ, ଜୁଲାଇ ୩୦ : ଭାରତରେ କରୋନା ଭାଇରସ୍ ସଂକ୍ରମଣ ପୁଣି ଥରେ ଉପର ମୁହାଁ ହୋଇଛି । ୨ୟ ଲହର ଯଦିଓ ହ୍ରାସ ପାଉଛି, ସଂକ୍ରମଣ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସିପାରି ନାହିଁ ।  ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ଯେତିକି ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ତାଠାରୁ ଅଧିକ ମାତ୍ରାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।   କୋଭିଡ-୧୯ ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪ ହଜାର ୬୭୩ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫୪୯ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କିନ୍ତୁ ବିଗତ ୨୪ ଘଣ୍ଟା ପୂର୍ବରୁ ଦେଶରେ ୪୩ ହଜାର ୨୧୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬୪୧ ଜଣଙ୍କର ମୃତ୍ୟୁ ହୋଇଥିଲା ।  ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୨ ହଜାର ୧୧୯ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧୧ ହଜାର ୮୧୦କୁ ବୃଦ୍ଧି ପାଇଛି । ଦେଶରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୧୫ ଲକ୍ଷ ୭୧ ହଜାର ୨୯୫ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୩ ହଜାର ୨୪୪କୁ ବୃଦ୍ଧି ପାଇଥିବା କୁହାଯାଇଛି । କିନ୍ତୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଆସିବା ପରେ ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ କରୋନାଜନିତ ମୃତ୍ୟୁ ଓ ସଂକ୍ରମିତଙ୍କ ସଠିକ ତଥ୍ୟ ଆସିବ ।

Leave A Reply

Your email address will not be published.