ଦିଲ୍ଲୀରେ ଚଳିତ ସପ୍ତାହ ଜାରି ରହିବ ବର୍ଷା

ନୂଆଦିଲ୍ଳୀ, ଅଗଷ୍ଟ ୦୩ : ଦିଲ୍ଲୀ ଓ ଏହାର ଉପକଣ୍ଠରେ ମୌସୁମୀ ବର୍ଷା ଜାରି ରହିଛି । ଏକ ସପ୍ତାହରୁ ଅଧିକ ସମୟ ଧରି ଦିଲ୍ଲୀରେ ମଧ୍ୟମରୁ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ ଚଳିତ ସପ୍ତାହରେ ମଧ୍ୟ ବର୍ଷା ଜାରି ରହିବ । ପାଣିପାଗ ବିଭାଗର କହିବା ଅନୁସାରେ ଅଗଷ୍ଟ ୮ ତାରିଖ ଯାଏଁ ସାମାନ୍ୟରୁ  ମଧ୍ୟମ ଧରଣର ବର୍ଷା ହେବ । ବିଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୩ମିମି ବର୍ଷା ରେକର୍ଡ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅଗଷ୍ଟ-ସେପ୍ଟେମ୍ବର ମାସରେ ସାଧାରଣରୁ ଅଧିକ ବର୍ଷା ହେବାର ଅନୁମାନ କରୁଛି । ଆଇଏମଡି ମୌସୁମୀର ୨ୟ ଅଂଶର ପୂର୍ବାନୁମାନରେ କହିଛି ଯେ, ପଶ୍ଚିମ ମଧ୍ୟପ୍ରଦେଶ ଓ ରାଜସ୍ଥାନର କିଛି ଅଂଚଳରେ, ମହାରାଷ୍ଟ୍ରର କିଛି ସ୍ଥାନରେ, ଜମ୍ମୁ କଶ୍ମୀର, ଲଦ୍ଦାଖ, ପଂଜାବ ଓ ହିମାଚଳ ପ୍ରଦେଶରେ ଅଗଷ୍ଟ ମାସରେ ସାଧାରଣ ଠାରୁ କମ ବର୍ଷା ହେବାର ଆକଳନ କରିଛି । ଅନ୍ୟପଟରେ କର୍ଣ୍ଣାଟକ, ତାମିଲନାଡୁ, ତେଲେଙ୍ଗାନା, ରାୟଲସୀମା, କୋଙ୍କଣ, ଗୋଆ, ମଧ୍ୟ ମହରାଷ୍ଟ୍ର, ଦକ୍ଷିଣ ଗୁଜୁରାଟ, ପୂର୍ବୋତ୍ତର ରାଜ୍ୟ, ବିହାରରେ ଅଗଷ୍ଟ ମାସରେ ଅଧିକ ବର୍ଷା ହୋଇପାରେ । ବିଗତ ଏକ ସପ୍ତାହ ମଧ୍ୟରେ ରାଜସ୍ଥାନର ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି ।  ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଆହୁରି ବର୍ଷା ହେବ ।

Leave A Reply

Your email address will not be published.