ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଘର ବାହାରେ ବୋମା ବିସ୍ଫୋରଣ

କାବୁଲ, ଅଗଷ୍ଟ ୦୪ : ଆଫଗାନିସ୍ତାନର କାବୁଲ ସହରରେ ମଙ୍ଗଳବାର ବଡ଼ ବିସ୍ଫୋରଣ ହୋଇଛି । କୁହାଯାଉଛି ଯେ, ସ୍ଥାନୀୟ ସମୟ ଅନୁସାରେ ରାତି ୮ଟାରେ ଏହି ବୋମା ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ପରେ ଆଫଗାନିସ୍ତାନ ସୁରକ୍ଷା ବାହିନୀ ଓ ଆକ୍ରମଣକାରୀଙ୍କ ମଧ୍ୟରେ ୪ ଘଣ୍ଟା ଯାଏଁ ଗୁଳିବିନିମୟ ହୋଇଥିଲା । ଆଭ୍ୟନ୍ତରୀଣ ମନ୍ତ୍ରାଳୟ ଅନୁସାରେ ଆଫଗାନିସ୍ତାନ ସୁରକ୍ଷା ବାହିନୀ ୪ ଜଣ ଆକ୍ରମଣକାରୀଙ୍କୁ ନିହତ କରିଛନ୍ତି । ବିସ୍ଫୋରଣ ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ବିସମିଲ୍ଲାହ ମହମ୍ମଦୀଙ୍କ ଘର ନିକଟରେ ହୋଇଥିଲା । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିସ୍ଫୋରଣ ପରେ ଉଭୟ ସୁରକ୍ଷା ବାହିନୀ ଏବଂ ଆକ୍ରମଣକାରୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ବିସ୍ଫୋରଣ କାବୁଲର ଡିଷ୍ଟ୍ରିକ୍ଟ ୧୦ର ଶିରପୁର ଅଂଚଳରେ ହୋଇଥିଲା । ଏଠାରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବ୍ୟତୀତ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ମାର୍ଶଲ ଅବଦୁଲ ରଶିଦ ଦେସ୍ତମ ମଧ୍ୟ ରୁହନ୍ତି । ଏହି ଅଂଚଳ କଡ଼ା ସୁରକ୍ଷାଯୁକ୍ତ ଗ୍ରୀନ ଜୋନ ଭାବରେ ଜଣାଯାଇଥାଏ । 

Leave A Reply

Your email address will not be published.