ଅଗଷ୍ଟ ୧୫ରୁ ଦୌଡ଼ିବ ମୁମ୍ବାଇ ଲୋକାଲ ଟ୍ରେନ୍‌

ମୁମ୍ବାଇ, ଅଗଷ୍ଟ ୦୯ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଗଷ୍ଟ ୧୫ରୁ ମୁମ୍ବାଇର ଲାଇଫଲାଇନ୍ କୁହାଯାଉଥିବା ଲୋକାଲ ଟ୍ରେନ୍‌କୁ ପୁଣି ଥରେ ଆରମ୍ଭ କରିବାକୁ ଘୋଷଣା କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଦ୍ୱାରା ମୁମ୍ବାଇବାସୀଙ୍କୁ ଆଶ୍ୱସ୍ତି ମିଳିଛି ।  ମୁଖ୍ୟମନ୍ତ୍ରୀ ଶ୍ରୀ ଠାକରେ କହିଛନ୍ତି ଯେ, ଲୋକାଲ ଟ୍ରେନ୍‌ରେ କରୋନା ଟିକାର ଉଭୟ ଡୋଜ ନେଇଥିବା ଲୋକ ଯାତ୍ରା କରିପାରିବେ । ଟ୍ରେନରେ ଯାତ୍ରା ସମୟରେ ଯାତ୍ରୀ ନିଜ ପାଖରେ ଉଭୟ ଡୋଜର ପ୍ରମାଣ ପତ୍ର ରଖିବେ । କେବଳ ସେତିକି ନୁହେଁ ଟିକା ନେବାର ୧୪ ଦିନ ପରେ ଲୋକାଲ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ମିଳିପାରିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେଉଁ ଲୋକମାନେ ୧୫ ଦିନ ପୂର୍ବରୁ କୋଭିଡ ଟିକାର ୨ ଡୋଜ ନେଇଛନ୍ତି, ସେମାନଙ୍କୁ ଲୋକାଲ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ମିଳିପାରିବ ।  ରବିବାର ରାତି ୮ଟାରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଲାଇଭ୍‌ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁମ୍ବାଇରେ ୧୯ ଲକ୍ଷ ଲୋକ ଏପର୍ଯ୍ୟନ୍ତ କରୋନା ଟିକା ନେଇସାରିଛନ୍ତି । ଏମାନେ ଆପ ଜରିଆରେ ନିଜର ନାମ ପଂଜୀକରଣ କରି ଟ୍ରେନରେ ଯାତ୍ରା କରିପାରିବେ । ଯେତେଦିନ ପର୍ଯ୍ୟନ୍ତ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ପୂରା ହୋଇ ନଥିବ, ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ହୋଟେଲ, ରେଷ୍ଟୁରାଣ୍ଟ, ସପିଂ ମଲ ଓ ଧାର୍ମିକ ସ୍ଥଳରେ କଟକଣା କୋହଳ ନେଇ ସୋମବାର ନିଷ୍ପତ୍ତି ନିଆଯିବ ।    

Leave A Reply

Your email address will not be published.