ହିମାଚଳ ଭୂସ୍ଖଳନ ଘଟଣା: ପଥର ତଳୁ ମିଳିଲା ୧୪ ମୃତଦେହ

ଶିମଲା, ଅଗଷ୍ଟ ୧୪ : ହିମାଳଚ ପ୍ରଦେଶର କିନ୍ନୋରରେ ବୁଧବାର ହୋଇଥିବା ଭୂସ୍ଖଳନ ଘଟଣାରେ ମୃତକଙ୍କ ସଂଖ୍ୟା ବଢ଼ିଛି ।  ଏପର୍ଯ୍ୟନ୍ତ ପଥର ତଳୁ ୧୪ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି ।  ଇଣ୍ଡୋ-ତିବତୀୟ ବୋର୍ଡର ପୋଲିସ (ଆଇଟିବିପି)ର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । କିନ୍ତୁ ପାହାଡ଼ ଉପରୁ ପଥର ଖସିବା ଫଳରେ ଉଦ୍ଧାର କାର୍ଯ୍ୟରେ ବାଧା ପହଂଚିଛି । ତେବେ ଦୁର୍ଘଟଣା ପରେ ୧୪ ଜଣଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ହସ୍‌ପିଟାଲରେ ଭର୍ତ୍ତି ୨ ଜଣ ଲୋକଙ୍କର ଅବସ୍ଥା ଗୁରୁତର ରହିଛି । କିନ୍ତୁ ହିମାଚଳ ରାଜ୍ୟ ପରିବହନ ନିଗମ (ଏଚଆରଟିସି)ର ବସ ଏପର୍ଯ୍ୟନ୍ତ ଠାବ କରାଯାଇ ପାରିନାହିଁ । ଆଜି ଉଦ୍ଧାର କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବ । ସୂଚନା ଅନୁସାରେ ହିମାଚଳର ରେକଙ୍ଗ ପିଓରୁ ବସଟି ଉତ୍ତରାଖଣ୍ଡର ହରିଦ୍ୱାର ଅଭିମୁଖେ ଯାଉଥିଲା । ବସରେ ପାଖାପାଖି ୪୦ ଜଣ ଯାତ୍ରୀ ଥିଲେ । ରେସ୍କ୍ୟୁ ଅପରେଶନରେ ନିୟୋଜିତ ଥିବା ଆଇଟିବିପି ଯବାନ ଟିମଙ୍କ କହିବା ଅନୁସାରେ କିନ୍ନୋରରେ ବୁଧବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଭୂସ୍ଖଳନ ସ୍ଥାନରେ ସଡ଼କ ସଫା କରାଯିବା ପରେ ବସର କୌଣସି ଖବର ମିଳିପାରି ନାହିଁ । ଆଇଟିବିପିର ଟିମ ବସ୍‌କୁ ଖୋଜିବାରେ ଲାଗିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିପାରି ନାହିଁ । ତେଣୁ ବସ ଠାବ ହେବା ପରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମୃତକଙକ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଦେବାକୁ ଘୋଷଣା କରିଛନ୍ତି । 

Leave A Reply

Your email address will not be published.