ତାଲିବାନ ସହ ଆମେରିକା ଗୁଇନ୍ଦା ସଂସ୍ଥା ମୁଖ୍ୟ କଲେ ଗୁପ୍ତ ବୈଠକ!

ନୂଆଦିଲ୍ଲୀ, ଅଗଷ୍ଟ ୨୫ : ଆମେରିକାର ଗୁଇନ୍ଦା ସଂସ୍ଥା (ସିଆଇଏ) ପ୍ରମୁଖ ୱିଲିୟମ ବର୍ନ୍ସ କାବୁଲରେ ତାଲିବାନ ନେତା ମୁଲ୍ଲା ଅବଦୁଲ ଗନୀ ବରାଦରଙ୍କୁ ଗୋପନୀୟ ସାକ୍ଷାତ କରିଛନ୍ତି । ଆମେରିକୀୟ ଅଧିକାରୀଙ୍କ ଠାରୁ ସୂଚନା ମିଳିବା ପରେ ଅନ୍ତର୍ଜାତୀୟ ଗଣମାଧ୍ୟମ ଏହି ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟ ଅନୁସାରେ ଏହି ସାକ୍ଷାତ ଗତ ସୋମବାର ଦିନ ହୋଇଥିଲା । ଆଫଗାନିସ୍ତାନକୁ ତାଲିବାନ ଜବରଦଖଲ କରିବା ପରେ ବାଇଡେନ ପ୍ରଶାସନ ଏବଂ ତାଲିବାନ ମଧ୍ୟରେ ସବୁଠାରୁ ଏହା ହେଉଛି ବଡ଼ ବୈଠକ । ଆଫଗାନିସ୍ତାନରେ ଫସିଥିବା ନିଜର ଲୋକଙ୍କୁ ଆମେରିକା କରୁଛି । ମାତ୍ର ତାଲିବାନ ସୋମବାର ଚେତାବନୀ ଦେଇ କହିଥିଲା ଯେ, ଆମେରିକାକୁ ଯେକୌଣସି ମୂହୁର୍ତ୍ତରେ ଅଗଷ୍ଟ ୩୧ ସୁଦ୍ଧା ସମସ୍ତ ସୈନିକଙ୍କୁ ଫେରାଇନେବାକୁ ପଡ଼ିବ । ୱିଲିୟମ ବର୍ନ୍ସ ହେଉଛନ୍ତି ବାଇଡେନ ସରକାରରେ ସବୁଠାରୁ ଅଭିଜ୍ଞ ସଂପନ୍ନ ରାଜନୈତିଜ୍ଞ । ସେହିପରି ଅବଦୁଲ ଗନୀ ବରାଦର ହେଉଛନ୍ତି ତାଲିବାନର ସବୁଠାରୁ ପ୍ରମୁଖ ନେତାଙ୍କ ମଧ୍ୟରେ ଜଣେ । ବରାଦର କତାରସ୍ଥିତ ତାଲିବାନର ରାଜନୈତିକ କାର୍ଯ୍ୟାଳୟର ଦାୟିତ୍ୱ ତୁଲାଇଥାନ୍ତି । ସିଆଇଏର ମୁଖପାତ୍ର ଗଣମାଧ୍ୟମ ସଂସ୍ଥାକୁ ଏହି ସାକ୍ଷାତକାର ନେଇ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ଗୁଇନ୍ଦା ସଂସ୍ଥା କେବେବି ସିଆଇଏ ପ୍ରମୁଖଙ୍କ ଯାତ୍ରା ସଂପର୍କରେ ସାର୍ବଜନିକ ଭାବେ ଚର୍ଚ୍ଚା କରିବ ନାହିଁ । ଅନ୍ତର୍ଜାତୀୟ ଗଣମାଧ୍ୟମ ଯଦିଓ ଏହି ସାକ୍ଷାତ ନେଇ କହିଛି, କିନ୍ତୁ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି, ତାହା ସ୍ପଷ୍ଟ କରି ନାହିଁ ।

Leave A Reply

Your email address will not be published.