ସାଙ୍ଗକୁ ବଂଚାଇବାକୁ ଯାଇ ଜଣକ ପରେ ଜଣେ ପାଣିରେ ବୁଡ଼ିଲେ, ୫ ଶିଶୁକନ୍ୟା ମୃତ

ପାଟଣା, ଅଗଷ୍ଟ ୨୫ : ସାଙ୍ଗକୁ ବଂଚାଇବା ପାଇଁ ଜଣକ ପରେ ଜଣେ ପାଣିରେ ବୁଡ଼ିଛନ୍ତି । ଏହି ଅଭାବନୀୟ ଘଟଣାରେ ୫ ଜଣ ଶିଶୁକନ୍ୟାଙ୍କର ମୃତ୍ୟୁ ହୋଇଛି । ବହାରର ପୂର୍ବ ଚମ୍ପାରଣ ଜିଲ୍ଲା ରାମଗଢ଼ୱା ଥାନା ଅଂଚଳରେ ମଙ୍ଗଳବାର ଜଳପୂର୍ଣ୍ଣ ଗର୍ତ୍ତରେ ପଡ଼ି ଏମାନଙ୍କର ମୃତ୍ୟୁ ହୋଇଛି । ଗର୍ତ୍ତ ଭିତରୁ ସମସ୍ତ ୫ ଶିଶୁକନ୍ୟାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକମାନେ ହେଲେ କୃଷ୍ଣା ମହତୋଙ୍କ ଝି ସୀମା କୁମାରୀ (୮) ଓ କୌଶଲ୍ୟା କୁମାରୀ (୧୦), ଅବଧେଶ ମହତୋଙ୍କ ଝିଅ ସୁଗୀ କୁମାରୀ (୧୨), ରମେଶ ମହତୋଙ୍କ ଝିଅ ସଂଗୀତା କୁମାରୀ (୧୦) ଓ ବଦ୍ରୀ ମହତୋଙ୍କ ଝିଅ ଶୋଭା କୁମାରୀ (୧୨) । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।  ଦୁର୍ଘଟଣା ନେଇ ଜଣେ ପୋଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ଶିବପୁର ବୀରତା ଗାଁର ୫ ଜଣ ଶିଶୁକନ୍ୟା ଛେଳି ଚରାଇବାକୁ ଯାଇଥିଲେ । ଛେଳି ଚରାଇବା ସମୟରେ ଏକ ପୋଖରୀ କୂଳରେ ଜଳପୂର୍ଣ୍ଣ ଥିବା ଗାତରେ ସ୍ନାନ କରିବାକୁ ପ୍ରବେଶ କରିଥିଲେ । ଏହି ସମୟରେ ଜଣେ ଶିଶୁର ପାଦ ଖସି ଯାଇଥିଲା । ଫଳରେ ପାଣି ଭିତରରୁ ବାହାରି ପାରି ନଥିଲେ । ପାଣିରେ ବୁଡ଼ି ଯାଉଥିବା ଦେଖି ଅନ୍ୟ ଜଣେ ଶିଶୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ସେ ମଧ୍ୟ ପାଣିରେ ବୁଡ଼ିଯାଇଥିଲା । ଏହି ପରି ଭାବରେ ଜଣକ ପରେ ଜଣେ ପାଣିରେ ବୁଡ଼ିଯାଇଥିଲେ ।   

Leave A Reply

Your email address will not be published.