ଦେଶରେ ଏକ ସପ୍ତାହରେ କରୋନା ସଂକ୍ରମଣ ୩୨% ବୃଦ୍ଧି

ନୂଆଦିଲ୍ଲୀ, ଅଗଷ୍ଟ ୩୦ : କେରଳରେ ଓନାମ ପରେ କରୋନା ଭାଇରସ ସଂକ୍ରମଣ ପୁଣି ଥରେ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ବିଗତ ୮ ସପ୍ତାହ ମଧ୍ୟରେ କରୋନା ଶୀର୍ଷସ୍ଥାନରେ ପହଂଚିଛି । ଏବେ ଦେଶର ମୋଟ ସଂକ୍ରମଣର ଦୁଇ ତୃତୀୟାଂଶ କେବଳ କେରଳରେ ଚିହ୍ନଟ ହୋଇଛନ୍ତି । ଦେଶରେ ଅଗଷ୍ଟ ୨୩ରୁ ୨୯ ମଧ୍ୟରେ ୨.୯ ଲକ୍ଷ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ଗତ ସପ୍ତାହ ତୁଳନାରେ ୩୨ ପ୍ରତିଶତ ଅଧିକ । ଏଥିରୁ କେବଳ କେରଳରୁ ଅଛନ୍ତି ୧.୯ ଲକ୍ଷ ଲୋକ । ରାଜ୍ୟରେ କରୋନା ସଂକ୍ରମଣ ବିଗତ ୧୪ ସପ୍ତାହରେ ଶୀର୍ଷ ସ୍ଥାନରେ ପହଂଚିଛି । କେନ୍ଦ୍ର ସରକାରଙ୍କର ଜଣେ ଅଧିକାରୀ କହିଛନ୍ତି ଯେ, କେରଳରେ ସଂକ୍ରମଣ ନିୟନ୍ତ୍ରିତ କରିବାକୁ ହେଲେ ଲକଡାଉନ ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ । ରାଜ୍ୟରେ ଏବେ ପଜିଟିଭିଟି ହାର ୧୯ ପ୍ରତିଶତରେ ପହଂଚିଛି । ଲକଡାଉନ ଆରମ୍ଭ ହେଲେ ସଂକ୍ରମଣ ବ୍ୟାପିପାରିବ ନାହିଁ ବୋଲି ଆଶା କରାଯାଉଛି । ମୁମ୍ବାଇର ଏକ ଶିଶୁଗୃହରେ ମୋଟ ୧୮ ଜଣ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନଗର ନିଗମର ଜଣେ ଅଧିକାର ରବିବାର ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏଥିରୁ ଶୁକ୍ରବାର ୧୫ ଜଣ ଶିଶୁ ସଂକ୍ରମିତ ଥିବା ଜଣାପଡ଼ିଥିଲେ । ମହାରାଷ୍ଟ୍ରରେ ବିବାର ୪୬୬୬ ଜଣ ନୂଆ ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ସଂଖ୍ୟା ୬୪ ଲକ୍ଷ ୫୬ ହଜାର ୯୩୯କୁ ବୃଦ୍ଧି ପାଇଛି । ମୁମ୍ବାଇରେ ୩୦ ହଜାର ବେଡର ବ୍ୟବସ୍ଥା କରାଯାଉଛି । କିଛି ବିଶେଷଜ୍ଞ କହୁଛନ୍ତି ଯେ, ଦେଶରେ କରୋନାର ୩ୟ ଲହର ପାଦଥାପିସାରିଛି । 

Leave A Reply

Your email address will not be published.